କନକ ବ୍ୟୁରୋ: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପିପିଲି ଟୋଲଗେଟ୍ ପରେ ପରେ ଏକ ସେଲଫି ଜୋନ୍ କରାଯାଇଛି । ଚାନ୍ଦୁଆକୁ ଲୋକଙ୍କ ପାଖରେ ଆହୁରି ନିକଟତର କରାଇବା ଏବଂ ବିକ୍ରିବଟାରେ ଉନ୍ନତି ଆଣିବା ଏହାର ମୂଳଲକ୍ଷ୍ୟ। ଆଉ ଏଥିପାଇଁ ଚାନ୍ଦୁଆ ଶିଳ୍ପର ଏଠାରେ ପ୍ରଦର୍ଶନୀ କରାଯାଇଛି । କିନ୍ତୁ ଦେଖିବାକୁ ମିଳୁଛି ଲୋକମାନେ କେବଳ ଫଟୋ ଉଠାଇ ଚାଲିଯାଉଛନ୍ତି । ବାଇପାସ ହେବା ପରେ ଚାନ୍ଦୁଆ ବ୍ୟବସାୟ କମୁଛି ।
ଜାତୀୟ ରାଜପଥ ଦେଇ ଲୋକମାନେ ଯାତାୟାତ କରୁଛନ୍ତି । ପୂର୍ବରୁ ଯେତିକି ଲୋକ ପିପିଲି ବଜାର ଦେଇ ଯାଉଥିଲେ । ସେତିକି ଲୋକ ଆସୁନାହାନ୍ତି। ଫଳରେ ଚାନ୍ଦୁଆ ବିକ୍ରି କମୁଛି । ଗାଁ ଗହଳିରେ ହେଉଥିବା ପର୍ବପର୍ବାଣୀ, ରଥଯାତ୍ରା ସମୟରେ ଚାନ୍ଦୁଆ ବିକ୍ରି କରି ବ୍ୟବସାୟ ବଂଚାଇ ରଖିଛନ୍ତି ବ୍ୟବସାୟୀ।
ଗତ ୫ ବର୍ଷ ଭିତରେ ୮ ହଜାର କାରିଗରଙ୍କ ଭିତରୁ ଅନେକ ଏହି ବୃତ୍ତିରୁ ମୁହଁ ଫେରାଇଲେଣି । ବର୍ତ୍ତମାନ ୨୫୦୦ରୁ କମ୍ କାରିଗର ଏହି ବୃତ୍ତିରେ ଅଛନ୍ତି । ପ୍ରଶାସନ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟରେ ପିପିଲିରେ ଚାନ୍ଦୁଆ ହବ୍ କରାଯିବାର ଯୋଜନା ରହିଛି । ହେଲେ ତାହା କେବେ ଆରମ୍ଭ ହେବ ତାହା ଜଣାପଡ଼ିନି । ଏକ ରିପୋର୍ଟ ଅନୁସାରେ ପିପିଲି ବ୍ଲକରେ ୧୨୨୮ ଜଣ, ଡେଲାଙ୍ଗ ବ୍ଲକରେ ୧୧୮୦, ପୁରୀ ଜିଲ୍ଲାରେ ମୋଟ ୫ହଜାର ୪୧୭ ଜଣ ଚାନ୍ଦୁଆ କାରିଗର ଅଛନ୍ତି ।
ପିପିଲି ଚାନ୍ଦୁଆ କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ପରିଚିତ । ଅନଲାଇନ ମାଧ୍ୟମରେ ମଧ୍ୟ ଏହି କଳା ବିଶ୍ବ ଦରବାରରେ ପହଂଚି ପାରିଛି । କିନ୍ତୁ ସ୍ଥାନୀୟ ବଜାରରେ ବ୍ୟବସାୟ ବଢ଼ିଲେ କାରିଗର ମାନେ ଉପକୃତ ହେବା ସହ କଳା ବଞ୍ଚିରହିପାରିବ ।