କନକ ବ୍ୟୁରୋ: ଯାଜପୁର ବିଜେଡିରେ କନ୍ଦଳ । ଇଏ କନ୍ଦଳ ବାହାରକୁ ଏତେଟା ଜଣାପଡୁନଥିଲେ ବି ଭିତରେ ଦଳକୁ ପୂରା ଖୋଳ କରିସାରିଲାଣି । ଯାହାର ଫଳ ଭୋଗିଲା ବିଜେଡି । ପୌରାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ହାରିଲା ବିଜେଡି । କୁହାଯାଉଛି ବିଜେଡିକୁ ବିଜେଡି ହିଁ ହରାଇଦେଲା । କାରଣ ବବି ଓ ଡାନିଙ୍କ ସମ୍ପର୍କ କେମିତି ତାହା କାହାକୁ ବି ଅଛପା ନାହିଁ । ହେଲେ ଦଳର ଦୁଇ ବରିଷ୍ଠ ନେତା ଜାଣିଜାଣି କାହିଁକି ଏମିତି କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।
ବିଜେଡି ହରାଉଛି ବିଜେଡିକୁ
ଏବେଠୁ ଏତେ, ପଂଚାୟତକୁ କେତେ ?
ବବି ଓ ଡାନିଙ୍କ ମଧ୍ୟରେ ଲାଗିଛି କି ଶୀତଳ ଯୁଦ୍ଧ ?
୨୬ କାଉନସିଲର ଥିଲେ, ୨୦ ଜଣ ଅନାସ୍ଥା ସପକ୍ଷରେ ଗଲେ
ହାରିଲେ ପୌରାଧକ୍ଷା ସଙ୍ଗୀତା ପିଙ୍ଗୁଆ
ଯାଜପୁର ବ୍ୟାସନଗର ପୌରାଧ୍ୟକ୍ଷା ହେଉଛନ୍ତି ସଙ୍ଗୀତା ପିଙ୍ଗୁଆ । ହେଲେ କାଉନସିଲରମାନେ ତାଙ୍କ ଉପରେ ଆଦୌ ଖୁସି ନଥିଲେ । ସେଇଥି ଲାଗି ତ ପାନେ ଦେବାକୁ ଅନସ୍ଥା ଆଣିଲେ । ଆଉ ଦଳର ଚକ୍ରବ୍ୟୁହରେ ଏମିତି ଫଶିଗଲେ ସଙ୍ଗୀତା ଯେ କେମିତି ବାହାରିବେ ବାଟ ପାଇଲେ ନାହିଁ । ମୋଟ୍ ୧୬ ଜଣ ବିଜେଡି, ୪ ଜଣ କଂଗ୍ରେସର କାଉନସିଲର ଏହି ଅନାସ୍ଥାରେ ସାମିଲ ହୋଇଥିଲେ । ଆଉ ପରାଜୟର ରାସ୍ତା ଦେଖାଇଦେଲେ ।
ବିଧାନସଭା ହାରିବା ପରେ ବବି ଓ ଡାନିଙ୍କ ପାୱାର ଟସଲ
ଦୁଇ ନେତା ହାରିବା ପରେ ଯାଜପୁର ବିଜେଡିର କନ୍ଦଳ ବଢୁଛି !
କୁହାଯାଉଛି କି, ପୌରାଧ୍ୟକ୍ଷାଙ୍କ ବିରୋଧରେ ଥିଲା ପୁଞ୍ଜିଭୂତ ଅସନ୍ତୋଷ । ସେଇଥି ଲାଗି ତ କାଉନସିଲରମାନେ ବି ଅସନ୍ତୋଷ ହେବା ସହିତ ମୌକା ଖୋଜୁଥିଲେ କେମିତି ସଙ୍ଗୀତାଙ୍କୁ ପାନେ ଦେବାକୁ । ଆଉ କଥା ପହଞ୍ଚିଥିଲା ଅନସ୍ଥା ପ୍ରସ୍ତାବରେ । ଶେଷରେ ଅନସ୍ଥା ଆସିଲା, ପରାଜୟ ରାସ୍ତା ଦେଖିଲେ ସଙ୍ଗୀତା । ସେପଟେ ଅଦୃଶ୍ୟ ଶକ୍ତିର ବଳ ଓ ନ୍ୟସ୍ତ ସ୍ବାର୍ଥ ପାଇଁ ସେ ହାରିଥିବା ସୋସିଆଲ ମିଡିଆରେ କହି ତେରଛା ବାଣ ମାରିଛନ୍ତି । ସେପଟେ ଉପାଧ୍ୟକ୍ଷ କହିଛନ୍ତି, ମନମାନି ଯୋଗୁଁ ଏମିତି ସ୍ଥିତି ଉପୁଜିଲା ।
ବ୍ୟାସନଗର ପୌରପରିଷଦ
କାହିଁକି ବାରମ୍ବାର ଆସୁଛି ଅନାସ୍ଥା ?
ଯାଜପୁରର ବ୍ୟାସନଗର ପୌରପାଳିକା । ଯେଉଁଠି ବାରମ୍ବାର ପୌରାଧ୍ୟକ୍ଷଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ଅବଶ୍ୟ ଏହା କେତେବେଳେ କାଟ ଖାଇଛି ତ ଆଉ କେତେବେଳେ ସଫଳତା ପାଇଛି । କିନ୍ତୁ ଏହି କାରଣ ଲାଗି ପୌରପରିଷଦର ଯେମିତି ଉନ୍ନତି ହେବାର କଥା ହୋଇପାରିନି ।
ଏପଟେ, ଅନାସ୍ଥା ଭୋଟରେ ୨୦ଟି ଯାକ ଭୋଟ ଅନାସ୍ଥା ସପକ୍ଷରେ କାଷ୍ଟିଂ ହୋଇଥିବା ଏଡିଏମ୍ ସ୍ବୀକାର କରିଛନ୍ତି । ଲିଖିତ ମତେ ଫଳାଫଳ ପତ୍ରରେ ଏଡିଏମ୍ ସ୍ୱାକ୍ଷର କରିଥିଲେ ହେଁ ସରକାରୀ ଭାବେ ଘୋଷଣା କରିବାକୁ ମନା କରିଥିଲେ । କାରଣ ହାଇକୋର୍ଟରେ ମାମଲା ରହିଛି । ଆସନ୍ତା ୧୫ ତାରିଖରେ ଏହାର ଶୁଣାଣି ରହିଛି । ଶୁଣାଣି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଡିଏମ୍ ତଥା ନିର୍ବାଚନ ଅଧିକାରୀ କହିଛନ୍ତି ।
(ଯାଜପୁର ରୋଡ୍ରୁ ପ୍ରକାଶ ରାଉତଙ୍କ ରିପୋର୍ଟ)