କନକବ୍ୟୁରୋ :  ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି କେତେଦୂର ହେଲା ।  ୨୦୨୪-୨୫, ୨୦୨୫-୨୬ରେ କେତେଜଣଙ୍କୁ ଏ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆଗକୁ ଆଉ କେତେଜଣଙ୍କୁ ଏ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏନେଇ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ଅଣତାରକା ପ୍ରଶ୍ନର ଲିଖିତରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ.ଭି ସିଂହଦେଓ । ବିଧାନସଭାରେ ରଖାଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୭ ସୁଦ୍ଧା ୩ ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

Advertisment

ରାଜ୍ୟରେ ସ୍ୱଚ୍ଛ ଶକ୍ତିର ପ୍ରସାର ପାଇଁ ସରକାର 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା'କୁ ଜୋରଦାର କରିଛନ୍ତି ।  ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ସୂଚନା ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୩ ଲକ୍ଷ ପରିବାରକୁ ସୌର ଶକ୍ତି ମାଧ୍ୟମରେ ମାଗଣା ବା କମ୍ ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।  ୨୦୨୪-୨୫ ଆର୍ଥିକ ବର୍ଷରେ ୫୦ହଜାର ପରିବାର, ୨୦୨୫-୨୬ ଆର୍ଥିକ ବର୍ଷରେ  ୨ ଲକ୍ଷ ୫୦ ହଜାର ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୧୦ ଫେବୃଆରୀ ୨୦୨୬ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୩୬,୫୩୭ଟି ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୨୨.୧୪% ଅଟେ ।  ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୭୯,୮୧୫ ଜଣ ହିତାଧିକାରୀ ଏହି ଯୋଜନା ପାଇଁ ଆବେଦନ କରିସାରିଛନ୍ତି ।