କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଶାଳଣିଆଁ ପଞ୍ଚାୟତ ଅନ୍ତର୍ଗତ ଚମାରତିରା ଗାଁ । ଗାଁର ସମସ୍ତେ ପରିଶ୍ରମୀ । ବିଭିନ୍ନ ଚାଷ କରି ପରିବାର ଚଳାନ୍ତି । ଗାଁର ଯୁବଚାଷୀ ଭଗବାନ ନାୟକ ୧୦ ବର୍ଷ ହେଲା ସୂର୍ଯ୍ୟମୁଖୀ ଚାଷ କରି ନିଆରା ବାର୍ତ୍ତା ଦେଇଛନ୍ତି । ଚଳିତବର୍ଷ ଦୁଇ ଏକର ଜମିରେ ଖରାଟିଆ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି ଭଗବାନ। ଏବେ ପ୍ରାୟ ସବୁ ଗଛରେ ଫୁଲ ଆସିଲାଣି । ଏବେ ଏହି ସୂର୍ଯ୍ୟମୁଖୀ କ୍ଷେତରେ ଯୁବପିଢ଼ି ଫଟୋ ଉଠାଇବାକୁ ଭିଡ଼ କରୁଛନ୍ତି। କିଛିଦିନ ପରେ ମଞ୍ଜି ସଂଗ୍ରହ ହେବ । ଏଥିରୁ ତେଲ ବାହାର କରି ବର୍ଷସାରା ଖାଇବା ସହିତ ପ୍ରତିବର୍ଷ ଦେଢ଼ରୁ ଦୁଇ କୁଇଣ୍ଟାଲ ତେଲ ବିକ୍ରି କରୁଥିବା ଭଗବାନ କହିଛନ୍ତି । ସେହିପରି ରବୀନ୍ଦ୍ର କୁମାର ଜେନାଙ୍କ କହିବା ଅନୁଯାୟୀ, ସୂର୍ଯ୍ୟମୁଖୀ ଚାଷରେ କମ୍ ଖର୍ଚ୍ଚ ହେଉଛି । ବିଶେଷ ସାରର ଆବଶ୍ୟକତା ନାହିଁ। ଭଲ ଅମଳ ହେଉଥିବାରୁ ସେ ୮-୧୦ ବର୍ଷ ହେଲା ସେ ସୂର୍ଯ୍ୟମୁଖୀ ଚାଷ କରୁଛନ୍ତି ।
ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ଖାଇବା ତେଲ ଅପମିଶ୍ରିତ ହେଉଥିବା ବେଳେ ନିଜ ହାତ ତିଆରି ସୂର୍ଯ୍ୟମୁଖୀ ତେଲ ସ୍ବାସ୍ଥ୍ୟ ପାଇଁ ଅତି ଉପକାରୀ ସାବ୍ୟସ୍ତ ହୋଇଛି । ଏଣୁ ଏବେ ଏଇ ଗାଁରେ ୧୦ରୁ ଅଧିକ ଚାଷୀ ସୂର୍ଯ୍ୟମୁଖୀ ଫୁଲ ଚାଷ କରୁଛନ୍ତି । କୃଷି ବିଭାଗ ପକ୍ଷରୁ ସୂର୍ଯ୍ୟମୁଖୀ ମଞ୍ଜିର ବିକ୍ରିବଟା ଓ ଏଥିରୁ ତେଲ ବାହାର କରିବା ପାଇଁ ଉପଯୁକ୍ତ ସୁବିଧା କରାଗଲେ ଚାଷୀ ଆହୁରି ଉପକୃତ ହୋଇପାରନ୍ତେ ।
କମ୍ ଖର୍ଚ୍ଚ ଓ କମ୍ ସମୟରେ ସୂର୍ଯ୍ୟମୁଖୀ ଚାଷ ଅଧିକ ଲାଭ ଦେଉଥିବାରୁ ଚାଷୀମାନେ ଏହି ଚାଷକୁ ଅପଣାଇ ପରିବାର ପ୍ରତିପୋଷଣ କରୁଛନ୍ତି ।