କନକ ବ୍ୟୁରୋ: ଚଳିତ ମାସରେ ବିଜେପି ଛାଡ଼ିଥିଲେ ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ । ଏହାର କିଛିଦିନ ପରେ ହିଁ ସେ ଜଣାଶୁଣା ଭୋଜପୁରୀ କଣ୍ଠଶଳ୍ପୀ ପବନ ସିଂଙ୍କୁ ଭେଟିଥିଲେ । ଏବେ ଆଲୋଚନା ହେଉଛି ଯେ, ମନୀଷ ବିଜେପି ଛାଡ଼ିବା ପରେ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟିରେ ଯୋଗଦେବେ । ଖାଲି ସେତିକି ନୁହେଁ, ମନୀଷ କଶ୍ୟପଙ୍କ ସହ ଭୋଜପୁରୀ କଣ୍ଠଶିଳ୍ପୀ ପବନ ସିଂ ମଧ୍ୟ ଜନ ସୂରାଜ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଭୋଜପୁରୀ କଣ୍ଠଶିଳ୍ପୀ ପବନ ସିଂଙ୍କ ପାଖରେ ଜନ ସୂରାଜ ପାର୍ଟିରେ ଯୋଗଦେବା ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ବିହାର ରାଜନୀତି ମହଲ ଆଲୋଚନା ହେଉଛି । ଗତବର୍ଷ ଲୋକସଭା ନିର୍ବାଚନ ଫଳାଫଳ ଆସିବାର ୩ ମାସ ପରେ ପବନ ସିଂ ଓ ତାଙ୍କ ପତ୍ନୀ ଜ୍ୟୋତି ସିଂ ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ । ଏହାପରେ ପୂର୍ବତନ ଆଇପିଏସ୍ ଅଫିସର ଆନନ୍ଦ ମିଶ୍ରଙ୍କ ସହ ନଜର ଆସିଥିଲେ ପବନ ସିଂ । ଏହାପରଠୁ ହିଁ ଏହି ଜଣାଶୁଣା କଣ୍ଠଶିଳ୍ପୀ ଜନ ସୂରାଜ ପାର୍ଟିରେ ସାମିଲ ହେବେ ବୋଲି ଚର୍ଚ୍ଚା ହୋଇଆସୁଥିଲା । ପୂର୍ବତନ ଆଇପିଏସ୍ ଅଫିସର ଆନନ୍ଦ ମିଶ୍ରାଙ୍କୁ ଜନ ସୂରାଜ ପାର୍ଟିର ଯୁବ ସଂଗଠନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ହେଲେ ଆଇପିଏସ୍ ଅଧିକାରୀରୁ ରାଜନୀତିକୁ ଓହ୍ଲାଇଥିବା ଆନନ୍ଦ ମିଶ୍ର ଗତମାସରେ ଏହି ପଦରୁ ଇସ୍ତଫା ଦେଇଥିଲେ । ସେ ହିଁ ପବନ ସିଂଙ୍କୁ ଦଳରେ ସାମିଲ କରାଇବେ ବୋଲି କୁହାଯାଉଥିଲା ।
ସେପଟେ ପବନ ସିଂଙ୍କ କଥା କହିଲେ, ତାଙ୍କର ନିଜର ଏକ ଫ୍ୟାନବେସ୍ ରହିଛି । ୨୦୨୪ ଲୋକସଭା ନିର୍ବାଚନରେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ନିର୍ବାଚନରେ ୨ ଲକ୍ଷ ୭୪ ହଜାର ୭୨୩ ଭୋଟ ପାଇ ରାଜନୀତିରେ ନିଜ ପାୱାର ଦେଖାଇଥିଲେ ପବନ ସିଂ । ଶାହାବାଦ ଆସନରୁ ନିର୍ଚାଚନ ଲଢ଼ିଥିଲେ ପବନ ସିଂ । ଏହି ଆସନ ଉପରେ ବିଜେପି, ଆର୍ଜେଡି ଫୋକସ୍ରେ ରହିଆସିଛି ।
ବିଜେପି ସହ ଦୀର୍ଘ ବର୍ଷ ହେଲା କାମ କରିଥିଲେ ପବନ ସିଂ । ଗତ ବର୍ଷ ଲୋକସଭା ନିର୍ବାଚନ ବେଳେ ତାଙ୍କୁ ପଶ୍ଚମବଙ୍ଗର ଆସାନସୋଲ୍ରୁ ଟିକେଟ ବି ଦେଇଥିଲା ଦଳ । ବିହାର କୌଣସି ଏକ ଆସନରୁ ଲଢ଼ିବା ଜିଦ୍ରେ ସେ ବିଜେପି ଛାଡ଼ି ଦେଇଥିଲେ । ଏଣୁ ପବନଙ୍କ ପାଇଁ ବିଜେପି ବାଟ ବନ୍ଦ ହୋଇଛି । ସେପଟେ ଜନ ସୂରାଜ ଦଳ ମଧ୍ୟ ପବନ ସିଂଙ୍କ ଭଳି ଏକ ଜଣାଶୁଣା ଚେହେରା ଖୋଜୁଛି । ପବନ ସିଂ ଖୋଦ କେବେ ଅନ୍ୟ କୌଣସି ଦଳ କିମ୍ବା ଦଳୀୟ ନେତାଙ୍କ ବିଷୟରେ ଆଲୋଚନା କରିନାହାନ୍ତି । ଏଣୁ ଆକଳନ ହେଉଛି ଯେ, ପବନ ସିଂ ମଧ୍ୟ ମନୀଷ କଶ୍ୟପଙ୍କ ସହ ଜନ ସୂରାଜ ପାର୍ଟିରେ ଯୋଗ ଦେବେ ।