କନକ ବ୍ୟୁରୋ: ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ଫଳ ବଜାରରେ ପ୍ରବଳ ଭିଡ଼ । ବିଭିନ୍ନ ପ୍ରକାର ଫଳର ଦର ଅଧିକ ରହିଥିଲେ ବି ଲୋକେ କିଣି ନେଉଛନ୍ତି । ବିଶେଷ କରି ଆମ୍ବର ଚାହିଦା ଗ୍ରାହକଙ୍କ ଭିତରେ ଟିକିଏ ବେଶି । ଲୋକମାନେ ଭଳି କି ଭଳି ଆମ୍ବ ବାଛି ବାଛି କିଣି ନେଉଛନ୍ତି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚହଟ ଚିକ୍କଣ ଏହି ଆମ୍ବରେ ମିଶିଛି ବିଷ । ଆମ୍ବ ଶୀଘ୍ର ପାଚିବା ପାଇଁ କିଛି ଅସାଧୁ ବ୍ୟବସାୟୀ ଏଥିରେ କ୍ୟାଲସିୟମ୍ କାର୍ବାଇଡର ବ୍ୟବହାର ଅଧିକ ମାତ୍ରାରେ କରୁଛନ୍ତି । ଯାହା ମଣିଷ ଶରୀର ପାଇଁ କ୍ଷତିକାରକ । ତେଣୁ ଏଭଳି ଆମ୍ବକୁ ନେଇ ଏବେ ଚିନ୍ତାରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ସଂସ୍ଥା ।
ଆମ୍ବକୁ ଶୀଘ୍ର ପଚାଇବା ପାଇଁ ବ୍ୟବସାୟୀମାନେ, ଅଧିକ ମାତ୍ରାରେ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର କରୁଥିବାରୁ ଏହା କର୍କଟ ଭଳି ରୋଗ ସୃଷ୍ଟି କରିପାରେ । ବାରମ୍ବାର ଏଭଳି ଫଳ ଖାଇଲେ ମଣିଷ ଶରୀରରେ ସ୍ନାୟୁଜନିତ ରୋଗ ଓ ଚର୍ମରୋଗ ଭଳି କ୍ଷତି ପହଞ୍ଚାଇବାର ଆଶଙ୍କା ଅଧିକ ରହିଛି ।
ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ଗୋଦାମ କିମ୍ବା ଫଳ ବଜାରରେ ରାସାୟନିକ ପଦାର୍ଥର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ । ଏଥିସହ ଫଳ ବଜାର ଉପରେ ନଜର ରଖିବା ସହ ଗୋଦାମ ଓ ସଂରକ୍ଷଣ କେନ୍ଦ୍ରଗୁଡ଼ିକରେ ଯାଞ୍ଚ କରିବାକୁ କୁହାଯାଇଛି । ତେବେ ଯେଉଁ ବ୍ୟବସାୟୀ ଏଭଳି କରୁଥିବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି FSSAI । ଅନ୍ୟପଟେ ଅଧିକ କ୍ଷତିକାରକ କାର୍ବାଇଡର ବ୍ୟବହାର ନକରି, ଫଳକୁ ପାକଳ କରିବା ପାଇଁ ବିକଳ୍ପ ଭାବରେ ଏଥିଲିନ୍ ଗ୍ୟାସ୍ ବ୍ୟବହାରକୁ ଅନୁମତି ଦେଇଛି FSSAI । ଏଥିଲିନ୍ ଗ୍ୟାସ୍ ଏକ ପ୍ରାକୃତିକ ଉଦ୍ଭିଦଜାତ ହର୍ମୋନ୍ ଓ ଏହା ମଣିଷ ଶରୀର ପାଇଁ ବିପଦ ସୃଷ୍ଟି କରିନଥାଏ ।