କନକ ବ୍ୟୁରୋ: ଚକଲେଟ୍ ଖାଇବାକୁ କିଏ ବା ପସନ୍ଦ ନକରେ, ହେଲେ ଯେତେବେଳେ ଗୋଟିଏ କମ୍ପାନୀ ମାତ୍ର ୧ ଟଙ୍କାରେ ଚକଲେଟ୍ ବିକି ସେଥିରୁ ୩ ଶହ କୋଟି ବ୍ୟବସାୟ କରେ, ସେତେବେଳେ ତାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ନା କୌଣସି ପ୍ରମୋସନ, ନା କୌଣସି ବିଜ୍ଞାପନ । ହେଲେ ତା ସତ୍ତ୍ୱେ ବି ଏ କମ୍ପାନୀ ଏତେ ଲୋକପ୍ରିୟ ଯେ, ପିଲାମାନେ ଏ ଚକଲେଟ୍ ଦେଖିଲେ, ଜିଦ୍ କରିବା ଛାଡନ୍ତିନି । ହଁ ଆଜ୍ଞା, ଆଜି ଆମେ ଏମିତି ଗୋଟିଏ ସଫଳ କମ୍ପାନୀର କାହାଣୀ କହିବୁ, ଯିଏକି ମାତ୍ର ୧ ଟଙ୍କାରେ ଲୋକଙ୍କୁ ଚକଲେଟ୍ ବିକି କମେଇଛି ୩ ଶହ କୋଟିରୁ ଅଧିକ ଟଙ୍କା ।
ପଲ୍ସ କ୍ୟାଣ୍ଡି । ଭାରତୀୟ ବଜାରରେ ବର୍ତମାନ ବେଶ ଜଣାଶୁଣା ଏହି ଚକଲେଟ୍ । ହେଲେ ଦିନ ଥିଲା, ଏହି ଚକଲେଟକୁ କେହି ବି ଜାଣିନଥିଲେ । ୨୦୧୫ରେ ପ୍ରଥମ ଥର ପାଇଁ ବଜାରରେ ପ୍ରବେଶ କରିଥିଲା ପଲ୍ସ କ୍ୟାଣ୍ଡି । ଚକଲେଟ୍ ପ୍ରସ୍ତୁତ କରୁଥିବା ଡିଏସ୍ ଗ୍ରୁପ ଏହି ଚକଲେଟକୁ ପ୍ରସ୍ତୁତ କରିଥିଲା । ହେଲେ ଦେଖୁ ଦେଖୁ ବିନା କୌଣସି ପ୍ରମୋସନ୍, ଆଉ ବିନା କୌଣସି ବିଜ୍ଞାପନରେ ଏହି ଚକୋଲେଟ ଟି ଲୋକପ୍ରିୟ ହେବାକୁ ଲାଗିଥିଲା । ଆଉ ୟା ପଛରେ ରହିଥିଲା, କଂଚା ଆମ୍ବ ଫର୍ମୁଲା ।
ମାର୍କେଟକୁ ପଲ୍ସ କ୍ୟାଣ୍ଡି ଚକଲେଟ୍ ଆଣିବା ପୂର୍ବରୁ, ପ୍ରଥମେ ଡିଏସ୍ ଗ୍ରୁପ ଇଣ୍ଡିଆନ୍ ମାର୍କେଟକୁ ରିସର୍ଚ୍ଚ କରିବା ସହ, ଲୋକମାନେ କେଉଁ ପ୍ରକାର ଚକଲେଟ୍ ଖାଇବାକୁ ପସନ୍ଦ କରୁଛନ୍ତି, ତା ଜାଣିବାକୁ ଚେଷ୍ଟା କରିଥିଲା । ଆଉ ଏଥିରେ ସାମ୍ନାକୁ ଆସିଥିଲା ଯେ, ଭାରତୀୟ ଲୋକମାନେ ଖାସ୍ କରି, କଂଚା ଆମ୍ବ ଚକଲେଟ୍ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଆଉ ଏହି ଫର୍ମୁଲାକୁ ସାଥିରେ ଧରି ଡିଏସ୍ ଗ୍ରୁପ ତିଆରି କରିଥିଲା ପଲ୍ସ କ୍ୟାଣ୍ଡି । କଂଚା ଆମ୍ବର ଫ୍ଲେଭର ସହ କମ୍ପାନୀ ଏହି ଚକଲେଟକୁ ପ୍ରସ୍ତୁତ କରିଥିଲା । ଆଉ ଦେଖୁ ଦେଖୁ ଏହା ପ୍ରତିଟି ଭାରତୀୟଙ୍କର ଅତି ପସନ୍ଦର ଚକଲେଟ୍ ମଧ୍ୟ ସାଜିପାରିଥିଲା ।
ଡିଏସ୍ ଗ୍ରୁପ ସବୁଠୁ ପ୍ରଥମେ ଗୁଜରାଟରେ ଛାଡିଥିଲା ପଲ୍ସ କ୍ୟାଣ୍ଡି । ୨୦୧୫ ମସିହା ଫେବୃଆରୀ ମାସରେ ଏହା ମାର୍କେଟରେ ଏଣ୍ଟ୍ରି ମାରିଥିଲା । ଆଉ ଲୋକମାନେ ବି ଏହାର ନିଆରା ସ୍ୱାଦକୁ ପସନ୍ଦ କରିଥିଲେ । ତେବେ କମ୍ ଦିନରେ ପଲ୍ସ କ୍ୟାଣ୍ଡିର ଲୋକପ୍ରିୟତା ଏତେ ବଢିଯାଇଥିଲା ଯେ, ୨୦୧୬ ବେଳକୁ ପଲ୍ସ କ୍ୟାଣ୍ଡିର ପ୍ରତି ମାସର ଉତ୍ପାଦନ ୧୨ ଶହ ୫୦ ଟନ୍ ଛୁଇଁଥିଲା । ଖାଲି ସେତିକି ନୁହେଁ, କମ୍ପାନୀ ଲୋକଙ୍କ ଚାହିଦାକୁ ଦେଖି ଭିନ୍ନ ଭିନ୍ନ ଫ୍ଲେଭରର ଚକଲେଟ୍ ମଧ୍ୟ ବଜାରକୁ ଆଣିଥିଲା । ଯାହା ଫଳରେ ୧ ଟଙ୍କାରେ ଚକଲେଟ୍ ବିକି ବି କମ୍ପାନୀ ୩୦୦ କୋଟି ଟଙ୍କାର ଟର୍ଣ୍ଣଓଭର ପାଇପାରିଥିଲା ।
ଆଜି ପଲ୍ସ କ୍ୟାଣ୍ଡି ଚକଲେଟ୍ ଅନେକଙ୍କ ଲୋକପ୍ରିୟ । ଖାସ୍ କରି ଏହାର କଂଚା ଆମ୍ବ ଫ୍ଲେଭରକୁ ଲୋକମାନେ ବେଶ ପସନ୍ଦ କରିଥାନ୍ତି । ଆଜି ବି ପଲ୍ସ କ୍ୟାଣ୍ଡିର ପ୍ରଚାର ପାଇଁ ସାରା ଦୁନିଆରେ ମାତ୍ର ଗୋଟିଏ ଟ୍ୟାଗ୍ ଲାଇନକୁ ବ୍ୟବହାର କରାଯାଏ । ଏମିତି କି ଅନେକ ଟିଭି ଆଉ ନ୍ୟଜପେପର ଆଡ୍ ରେ ମଧ୍ୟ ଏହା ଦେଖିବାକୁ ମିଳିଥାଏ । ପ୍ରାଣ ଜାଏ ପର୍, ପଲ୍ସ ନ ଜାଏ ।