କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଏବେ ସବୁକିଛି ଠିକ୍ ଚାଲିଲା ଭଳି ଲାଗୁନି । ଖାସ୍ କରି, ଉଦ୍ଧବଙ୍କ ଗୋଷ୍ଠୀର ନେତା ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା, ଆଉ ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ କୁହାଯାଉଥିବା ଶରଦ ପାଓ୍ୱାର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ପ୍ରଂଶସା କରିବା, ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି ।

Advertisment

ଜାଣିରଖିବା ଉଚିତ୍ ଯେ, ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ, ମହାବିକାଶ ଅଘାଡିକୁ ମାତ୍ ଦେଇ, ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲା। ରାଜ୍ୟର ମୋଟ ୨୮୮ଟି ଆସନ ମଧ୍ୟରୁ ୨୩୦ଟିରେ ମହାୟୁତିର ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ହେଲେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରେ ପରେ, ଏବେ ମୁମ୍ବାଇ, ପୁଣେ ଏବଂ ଥାଣେ ପୌର ନିର୍ବାଚନରେ ଦୁଇ ମେଣ୍ଟ ମଧ୍ୟରେ ଏକ ବଡ଼ ଲଢେଇ ଦେଖିବାକୁ ମିଳିପାରେ । କିନ୍ତୁ ଏହା ପୂର୍ବରୁ ଉଭୟ ମେଣ୍ଟର ନେତା ପରସ୍ପରକୁ ଭେଟିବା ଚର୍ଚ୍ଚା ସୃଷ୍ଟି କରିଛି ।

ଉଦ୍ଧବ ଏବଂ ଆଦିତ୍ୟ ସହ ଫଡନାଭିସଙ୍କ ଭେଟଘାଟ୍

ଗତ ଅଢ଼େଇ ମାସରେ, ଶିବସେନା (UBT)ର ବରିଷ୍ଠ ନେତାମାନେ ମୁଖ୍ୟମନ୍ତ୍ରୀ ଫଡନାବିସଙ୍କୁ ତିନିଥର ଭେଟିଛନ୍ତି। ଆଦିତ୍ୟ ଠାକରେ ଦୁଇଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାବେଳେ,  ତାଙ୍କ ବାପା ଉଦ୍ଧବ ଠାକରେ ଥରେ ଫଡନାଭିସଙ୍କୁ ଭେଟିଛନ୍ତି। ଏହା ବ୍ୟତୀତ, ଶିବସେନା (UBT)ର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଫଡନାବିସଙ୍କୁ ଭେଟିଛନ୍ତି। ତେବେ ଉଦ୍ଧବ ଠାକରେଙ୍କ ଏହି ବଦଳୁଥିବା ମିଜାଦ୍, ରାଜନୈତିକ ପଣ୍ଡିତମାନଙ୍କୁ ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଭାବିବାକୁ ବାଧ୍ୟ କରିଛି । କାହିଁକି ନାଁ, ଅନେକ ସମୟରେ ଫଡନାଭିସଙ୍କୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖୁଥିବା ଉଦ୍ଧବ ଆଉ ତାଙ୍କ ଦଳ, ହଠାତ୍ ଏମିତି ମୁଡ୍ ପରିବର୍ତ୍ତନ କରିବା, ମହାରାଷ୍ଟ୍ର ରାଜନୀତିରେ ସବୁକିଛି ଠିକ୍ ଚାଲୁନଥିବାର ସଙ୍କେତ ଦେଉଛି ।

MNS ଏବଂ BJP ମଧ୍ୟରେ ମେଣ୍ଟ ନେଇ ଆଲୋଚନା

ଏହାପୂର୍ବରୁ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେଙ୍କୁ ଭେଟିଥିଲେ। ସେବେଠାରୁ ବିଜେପି ଏବଂ ଏମ୍ଏନ୍ଏସ୍ ମଧ୍ୟରେ ମେଣ୍ଟ ନେଇ ଆଲୋଚନା ଚାଲିଛି ବୋଲି ଚର୍ଚ୍ଚା ହେଉଛି । ତେବେ ରାଜନୈତିକ ପଣ୍ଡିତଙ୍କ କହିବା କଥା, ସ୍ଥାନୀୟ ନିର୍ବାଚନ ପୂର୍ବରୁ ଉଭୟ ମେଣ୍ଟ ଉଭୟଙ୍କର ରାଜନୀତିକ ପାରିବା ପଣିଆ ମାପିବାରେ ବ୍ୟସ୍ତ ଅଛନ୍ତି । ଯେଉଁ କାରଣରୁ ଏହି ଭେଟଘାଟ୍ ହେଉଥିବା କହିଛନ୍ତି ରାଜନୈତିକ ବିଶ୍ଲେଷକ ।

ମହାୟୁତିରେ ମତଭେଦ!

ବିରୋଧୀ ଦଳ ଦାବି କରୁଛନ୍ତି ଯେ, ଶାସକ ମହାୟୁତିରେ ଫଡନାଭିସ ଏବଂ ଶିବସେନା ମୁଖ୍ୟ ସିନ୍ଦେଙ୍କ ମଧ୍ୟରେ ଫାଟ ରହିଛି। ଯେଉଁ କାରଣରୁ ଏବେ ସିନ୍ଦେଙ୍କ ହାତ ଛାଡି ଶିବସେନାର ହାତ ଧରିପାରେ ବିଜେପି । ଏଥିପାଇଁ ଫଡନାଭିସ୍ ଲଗାତାର ଉଦ୍ଧବଙ୍କ ସହ ସମ୍ପର୍କରେ ଥିବାବେଳେ, ମହାରାଷ୍ଟ୍ରରେ କେଉଁ ମୁହୂର୍ତ୍ତରେ ସତ୍ତାର ପଟ୍ଟ ପରିବର୍ତ୍ତନ ହେଇପାରେ ।

ଶିବସେନା (ୟୁବିଟି) ଶରଦ ପାୱାରଙ୍କ ଉପରେ ବିରକ୍ତ କି?

ଅନ୍ୟପଟେ ମହାବିକାଶ ଅଘାଡି ମେଣ୍ଟରେ ସବୁକିଛି ଠିକ୍ ନାହିଁ ବୋଲି କିଛି ଦାବି କରୁଛନ୍ତି । ଖାସ୍ କରି, ଶରଦ ପାଓ୍ୱାର ଉପ-ମୁଖ୍ୟମନ୍ତ୍ରୀ ଥିବା ଏକନାଥ ସିନ୍ଦେଙ୍କ ପ୍ରଂଶସା କରିବାକୁ ନେଇ ଉଦ୍ଧବ ଗୋଷ୍ଠୀ ଖୁସି ନାହାଁନ୍ତି । ଏହାସହ କଂଗ୍ରେସ ମଧ୍ୟ ଏହି ଘଟଣାରେ ଶରଦଙ୍କ ଉପରେ ଖପ୍ପା ଅଛି ବୋଲି ଚର୍ଚ୍ଚା ହେଉଛି । ହେଲେ ଏତେ ସବୁ ଘଟଣାଚକ୍ର ଭିତରେ ମହାରାଷ୍ଟ୍ର ରାଜନୀତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା....