କନକ ବ୍ୟୁରୋ : ବାରିପଦାରେ ଜମି ବ୍ୟବସାୟୀ ସାଲଖୁ ମାରାଣ୍ଡିଙ୍କୁ ଅପହରଣ ପରେ ହତ୍ୟା । ପ୍ରମାଣ ନଷ୍ଟ କରିବା ପାଇଁ ମୁହଁରେ ଏସିଡ୍ ଢାଳି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଦର୍ଶନ ଭୁଁୟା ସମେତ ୨ଜଣଙ୍କୁ ଗିରଫ କରିଛି ବାରିପଦା ଭଞ୍ଜପୁର ପୋଲିସ । ପଡ଼ୋଶୀ ଝାଡ଼ଖଣ୍ଡ ବହଡ଼ାଗଡା ଅଞ୍ଚଳରୁ ଦୁଇ ଜଣଙ୍କୁ ଡାକି ହତ୍ୟାକାଣ୍ଡ ପାଇଁ ୯ ଲକ୍ଷ ସୁପାରୀ ଦେଇଥିଲା ବାରିପଦା ସହର ଉପକଣ୍ଠ ଦାମୋଦରପୁର ଅଞ୍ଚଳର ଦର୍ଶନ ଭୁଁୟା ।

Advertisment

ବାରିପଦା ସହର ୧୯ ନଂ ୱାର୍ଡ ବଢ଼େଇସାହିର ସାଲଖୁ ଜମି ବ୍ୟବସାୟ କରିବା ସହ ସୁଧ କାରବାର କରନ୍ତି। ଅଭିଯୁକ୍ତ ଦର୍ଶନ ଜଣେ ଜମି ଦଲାଲ। ଉଭୟ ସାଙ୍ଗ ହୋଇ ଜମି କିଣାବିକା ମଧ୍ୟ କରୁଥିଲେ । ଦର୍ଶନ ବର୍ଷକ ତଳୁ ସାଲଖୁଙ୍କ ପକ୍ଷରୁ ୨୦% ସୁଧରେ ୩୪ ଲକ୍ଷ ଟଙ୍କା ନେଇଥିଲା । ପ୍ରତିମାସରେ ସୁଧ ବାବଦରେ ୬ ଲକ୍ଷ ୮୦ ହଜାର ଟଙ୍କା ଦେଉଥିଲା । ସୁଧ ଦେଇ ଦେଇ ଅତିଷ୍ଠ ହେବା ପରେ ସାଲଖୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଅଭିଯୁକ୍ତ । ଏବଂ ଝାଡ଼ଖଣ୍ଡରୁ ଦୁଇ ଜଣଙ୍କୁ ଡାକିଥିଲା । ପୂର୍ବ ଯୋଜନା ମୁତାବକ ଗତ ୨୯ ତାରିଖରେ ସାଲଖୁ ମାର୍ଣ୍ଡିଙ୍କୁ ଏକ ହ୍ୟୁଣ୍ଡାଇ କାରରେ ଅପହରଣ କରି ନେଇଥିଲେ । କାର ଆଗ ସିଟ୍‌ରେ ବସାଇ ପଛପଟୁ ଏକ ରସିରେ ବେକକୁ ଚାପି ହତ୍ୟା କରିଥିଲେ । ପରେ ମୁହଁକୁ ନଷ୍ଟ କରିବା ପାଇଁ ଏସିଡ୍ ଢାଳି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।

ସାଲଖୁ ଘରକୁ ନଫେରିବାରୁ ସ୍ତ୍ରୀ ଝାନ୍ସିରାଣୀ ମାର୍ଣ୍ଡି ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅପରଣର ୫ ଦିନ ପରେ ରବିବାର ସନ୍ଧ୍ୟାରେ ବେତନଟୀ ଜାମଶୋଳି ଜଙ୍ଗଲର କେନାଲ ନିକଟରୁ ତାଙ୍କ ମୃତଦେହକୁ ଉଦ୍ଧାର କରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ ।