କନକ ବ୍ୟୁରୋ : ବସ୍ ଗଡୁଛି, କିନ୍ତୁ କେଉଁଠି ରହିବ, କେଉଁଠି ଉଠିବେ ଯାତ୍ରୀ ତା ଜଣାନାହିଁ । ସହର ସାରା କୌଣସି ଛକରେ ନାହିଁ ବସ୍‌ଷ୍ଟପ୍ । ଆମ ବସ୍‌ ଚଳାଚଳରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ସମ୍ବଲପୁରରେ ।  ସମ୍ବଲପୁରରେ ଚାଲୁଥିବା ଆମବସର ରହଣି ସ୍ଥାନ । ବସ୍ ଅପେକ୍ଷାରେ ମୁଖ୍ୟ ରାସ୍ତା କଡ଼ରେ ଛିଡ଼ା ହୋଇଛନ୍ତି ସାଧାରଣ ଲୋକ। ନା ବସିବାକୁ ସ୍ଥାନ ଅଛି । ନା ବସ୍ ରହଣି ସ୍ଥାନରେ ଲାଗିଛି ରୁଟଚାଟ୍ । ସମ୍ବଲପୁର ସହରର ସବୁ ଛକରେ ଏ ସମାନ ଦୃଶ୍ୟ। କେଉଁଠି ବି ନାହିଁ ଯାତ୍ରୀଙ୍କ ପାଇଁ ବସଷ୍ଟପ୍‌ । ବସଷ୍ଟପ୍‌ ପାଇଁ କୁଆଡ଼େ ୬ ମାସ ପୂର୍ବରୁ ୫୦ଟି ସ୍ଥାନ ଚିହ୍ନଟ ହୋଇଥିଲା। କିନ୍ତୁ ଏଯାଏଁ ନା ଅର୍ଥ ମଞ୍ଜୁର ହୋଇଛି ନା ଟେଣ୍ଡର ହୋଇଛି। ସ୍ଥାନ ଚିହ୍ନଟରେ ସୀମିତ ରହିଛି ବସଷ୍ଟପ ନିର୍ମାଣ।

Advertisment

ଅଧିକ ପଢ଼ନ୍ତୁ :  ଆମ ବସ୍‌ ଦୁର୍ଘଟଣା ଓ ଡ୍ରାଇଭରଙ୍କ ମନମାନି ; ଆକ୍ସନ୍‌ ମୋଡ୍‌ରେ ସରକାର

 ଗତ ୧୧ ତାରିଖରେ ସମ୍ବଲପୁରବାସୀଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରିବା ପାଇଁ ୨୫ଟି ନୂଆ ଇ-ବସର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସର ବ୍ୟବସ୍ଥା କରାଯିବ। ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବସଗୁଡ଼ିକର ପରିଚାଳନା ପାଇଁ ଅଇଁଠାପାଲିଠାରେ କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ବା କ୍ରୁଟର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଉଦଘାଟନ କରିଥିଲେ। ଏଥିସହିତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ  ଟର୍ମିନାଲ୍‌ ଓ ବସଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୨୩୮ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । କିନ୍ତୁ ବିଡ଼ମ୍ବନା ସହରରେ ବସଷ୍ଟପ୍‌ ନିର୍ମାଣ ସ୍ବପ୍ନ ପାଲଟିଛି ।