କନକ ବ୍ୟୁରୋ:ଏବେ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷ ଯୋଗୁଁ ସବୁ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଅଳକାନନ୍ଦା ନଦୀରେ ଖସିପଡ଼ିଛି ଯାତ୍ରୀବାହୀ ବସ୍ । ସୂଚନା ଅନୁସାରେ, ଏହି ଦୁର୍ଘଟଣା ବଦ୍ରିନାଥ ରାଷ୍ଟ୍ରୀୟ ରାଜମାର୍ଗ ନିକଟରେ ହୋଇଛି । ବସରେ ୧୮ରୁ ୧୯ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି । ଏହି ବସଟି ରାଜସ୍ଥାନରୁ ଆସୁଥିବା କୁହାଯାଉଛି । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୧୦ଜଣଙ୍କ ପତ୍ତା ମିଳୁନି ଏବଂ ଅନ୍ୟ ଅନ୍ୟ ୭ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ହୋଇଛି । ଭୀଷଣ ବର୍ଷା ଯୋଗୁଁ କୁଲୁ ଓ କାଙ୍ଗଡା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ କାଙ୍ଗଡ଼ା ଜିଲ୍ଲାର ଖନିୟାରା ଅଞ୍ଚଳରେ ଇନ୍ଦିରା ପ୍ରିୟଦର୍ଶିନୀ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିବା ୧୫ ଜଣ ଶ୍ରମିକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜଙ୍କୁ ଖୋଜାଖୋଜି କରାଯାଉଛି । ବନ୍ୟାରେ କେତେ ଲୋକ ପ୍ରଭାବିତ ହୋଇଛନ୍ତି, ତାହାର ସଠିକ ତଥ୍ୟ ଜଣାପଡ଼ିନି । ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସେପଟେ କୁଲୁ ଜିଲ୍ଲାର ସେଞ୍ଜ ଘାଟି, ଜୀବା ନାଲା, ଗଢସା ଘାଟି, ହୋରନଗଡ଼ରେ ବାଦଲଫଟା ବର୍ଷା ଯୋଗୁଁ ଜଳପ୍ରଳୟ ଦେଖିବାକୁ ମିଳିଛି । ଜିବା ନାଲାରେ ବାପା-ଝିଅଙ୍କ ସମେତ ୩ ଜଣ ଭାସିଯାଇ ନିଖୋଜ ଥିବା ଖବର ମିଳିଛି ।