କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୩୧୦ରନ୍‌ ସହ ଦୃଢ଼ ପ୍ରଦର୍ଶନ କରିଛି । ଶୁବମନ ଗିଲ୍‌ଙ୍କ ଶତକ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ଦଳକୁ ସ୍ଥିରତା ଦେଇଛି । କିନ୍ତୁ ଯଶପ୍ରୀତ ବୁମରାହଙ୍କ ଅନୁପସ୍ଥିତି ଏବଂ ଦଳୀୟ ସନ୍ତୁଳନ ନେଇ ପ୍ରଶ୍ନ ଉଠିଛି । ବୁମରାଙ୍କୁ ଅତ୍ୟଧିକ ମ୍ୟାଚ୍‌ ପାଇଁ ବିଶ୍ରାମ ଦିଆଯାଇଛି, ଯାହା ପୂର୍ବ ନିର୍ଦ୍ଧାରିତ ଥିଲା । ତେବେ ଏଡଜବାଷ୍ଟନରେ ସିମର ସହାୟକ ପିଚ୍‌ରେ ବୁମରାହଙ୍କ ଅନୁପସ୍ଥିତିକୁ ନେଇ ପୂର୍ବତନ ଖେଳାଳି ରବି ଶାସ୍ତ୍ରୀ ଓ ଇରଫାନ ପଠାନ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment

ଶାସ୍ତ୍ରୀ ଏହାକୁ ଅବିଶ୍ୱସନୀୟ ବୋଲି କହିଥିବା ବେଳେ ପଠାନ ଦଳର ଆବଶ୍ୟକତାକୁ ଅଗ୍ରାଧିକାର ଦେବା ଉଚିତ ବୋଲି ମତ ଦେଇଛନ୍ତି । ବୁମରାହଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଅଣାଯାଇଛି, କିନ୍ତୁ ଆକାଶଙ୍କ ଅଭିଜ୍ଞତାର ଅଭାବ ଦଳର ବୋଲିଂକୁ ଦୁର୍ବଳ କରିପାରେ । ଏହା ସହ କୁଲଦୀପ ଯାଦବ ଓ ସାଇ ସୁଦର୍ଶନଙ୍କୁ ବାଦ୍‌ ଦେଇ ନୀତୀଶ କୁମାର ରେଡ୍ଡୀ ଓ ଓ୍ଵାଶିଂଟନ ସୁନ୍ଦରଙ୍କୁ ଅଣାଯାଇଛି । ଏହି ପରିବର୍ତ୍ତନ ଦଳର ବ୍ୟାଟିଂକୁ ବଳ ଦେଇଛି, କିନ୍ତୁ ବୋଲିଂ ସନ୍ତୁଳନ ନେଇ ଚିନ୍ତା ରହିଛି । ସିରିଜରେ ୦-୧ରେ ପଛରେ ଥିବା ଭାରତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ।