କନକ ବ୍ୟୁରୋ: ଗଞ୍ଜାମ ଚିକିଟିରେ ବିଷାକ୍ତ ମଦମୃତ୍ୟୁ ନେଇ ଆକ୍ସନରେ ସରକାର । ଘଟଣାରେ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଆଗକୁ ଚୋରାମଦ ସଂପୂର୍ଣ୍ଣ ବନ୍ଦ କରିବାକୁ ବେଆଇନ ମଦ ଭାଟିରେ ବୁଲଡୋଜର ବୁଲିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ପୂର୍ବ ଘଟଣା ଭଳି ସମାନ ଢଙ୍ଗରେ ଚିକିଟି ମଦମୃତ୍ୟୁ ପାଇଁ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି ଉଠିଛି। 

  • ବିଷାକ୍ତ ମଦ ବଳୟରେ ଚିକିଟି ଜେନାପୁର ଗାଁ
  • ପ୍ରଶାସନ ଶୁଣିନଥିଲା ଲୋକଙ୍କ ଅଭିଯୋଗ

ବିଷାକ୍ତ ମଦ ବଳୟରେ ଜଳୁଛି ଚିକିଟିର ଜେନାପୁର ଗାଁ ।  ବିଷାକ୍ତ ମଦ ପିଇ ଗାଁର ଦୁଇଟି ପରିବାର ଛାରଖାର ହେଇଯାଇଛି । ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ପରେ ଗାଁରେ ଏବେ କୋକୁଆଭୟ ।  କାହା ଘରେ ଚୁଲି ଜଳୁନି ତ, କିଏ ନିଜ ଲୋକଙ୍କ ଫେରିବା ବାଟକୁ ଅନାଇ ରହିଛି । ମଦମୃତ୍ୟୁର ଶିକାର ଲୋକନାଥ ବେହେରାଙ୍କ ବୟସ ମାତ୍ର ୩୪ ବର୍ଷ ହୋଇଥିଲା । ଏବେ ତାଙ୍କ ମଦମୃତ୍ୟୁ ପରେ ପରିବାରରେ କୋକୁଆଭୟ ସୃଷ୍ଟି ହୋଇଛି । 

ଚୁପ ବସିଥିଲା କି ଅବକାରୀ ବିଭାଗ? 

  • ମାଉନ୍ଦପୁରରେ ୩୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା ମଦ କାରବାର
  • ମଦ ବନ୍ଦ  ପାଇଁ ଗାଁ ଲୋକେ ଅବକାରୀ ବିଭାଗ,ପୁଲିସ ଓ ପ୍ରଶାସନକୁ  ଜଣାଇଥିଲେ
  • ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା କିଛି ଆଦିବାସୀ ଲୋକ ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ବିଷାକ୍ତ ମଦ ପ୍ରସ୍ତୁତ କରି ମଦ ମାଫିଆଙ୍କୁ ଯୋଗାଉଛନ୍ତି ।

  • ବେଆଇନ ମଦ କାରବାର ପଛରେ କିଏ ?
  • କାହିଁକି କଡା ଯାଞ୍ଚ କରୁନି ଅବକାରୀ ବିଭାଗ?

ଗଞ୍ଜାମ ଜିଲ୍ଲା ସୀମା ପଡୋଶୀ ଆନ୍ଧ୍ରକୁ ଲାଗିଛି । ଚିକିଟ ଅଞ୍ଚଳରେ ଅଧିକ ତେଲୁଗୁ ଭାଷାଭାଷୀ ରହୁଥିଲାବେଳେ, ଅନ୍ତଃ-ରାଜ୍ୟ ବିଷାକ୍ତ ମଦ କାରବାର ଅଧିକ ହେଉଛି । ପୂର୍ବରୁ ଜିଲ୍ଲାର ପୁରୁଷୋତ୍ତମପୁର, ରମ୍ଭା ଓ ଗୋଳାବନ୍ଧରେ ବିଷାକ୍ତ ମଦ ଅନେକ ଜୀବନ ନେଇଛି । ତା ପରେ ବି ପ୍ରଶାସନର ଚେତା ପଶିନି । ଏବେ ଚିକିଟି ମଦମୃତ୍ୟୁ ପରେ ବିଜେପି-ବିଜେଡି ଦୋଷ ଲଦାଲଦି ହୋଇଛନ୍ତି ।

କୁହାଯାଉଛି, ଗଞ୍ଜାମ ବେଆଇନ ମଦ କାରବାରରେ ବଡ ବଡ ମାଫିଆଙ୍କ ସଂପୃକ୍ତି ରହୁଛି ଓ ବଡବଡିଆଙ୍କ ଛତ୍ରଛାୟା ତଳେ କାରବାର ଚାଲୁଛି । ପ୍ରଶ୍ନ ଉଠୁଛି, ଗଞ୍ଜାମରେ ବନ୍ଦ ହେବ କି ବେଆଇନ ମଦ କାରବାର?