କନକ ବ୍ୟୁରୋ : ବର୍ଷାରେ ଲହଡି ଖେଳୁଛି ବର୍ଯ୍ୟଜଳ । ବିଦ୍ୟାଳୟ ଏବେ ପାଣି ଘେରରେ । ପାଣିରେ ରାସ୍ତା ଅଣ୍ଡାଳି ଅଣ୍ଡାଳି ସ୍କୁଲ ଯିବାକୁ ପଡେ । ବିପଦସଂକୁଳ ଅବସ୍ଥାରେ ବହି ବସ୍ତାନୀ ଧରି ବିଦ୍ୟାଳୟକୁ ପ୍ରବେଶ କରୁଛନ୍ତି ଛାତ୍ରଛାତ୍ରୀ । ଟିକିଏ ଏପଟ ସେପଟ ହେଲେ ପଡିଯିବାର ଭୟ ରହିଛି । ଫାଇଭ-ଟି ସ୍କୁଲ ଅଧାପନ୍ତରିଆ କାମ କରି ଲୋକାର୍ପଣ କରାଯିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।
ଡ୍ରେନ୍ ପାଣି ଘେରରେ ବିଦ୍ୟାଳୟ । ରାସ୍ତା ଅଣ୍ଡାଳି ଅଣ୍ଡାଳି ଯାଉଛନ୍ତି ଛାତ୍ରଛାତ୍ରୀ । ସାଇନସ ଲ୍ୟାବ, ଲାଇବ୍ରେରୀ, ଶୌଚାଳୟ, ଖେଳ ପଡ଼ିଆ ଓ ପିଲାଙ୍କ ପାଇଁ ଲାଗିଥିବା ବିଭିନ୍ନ ଖେଳ ଉପକରଣ ସବୁ ପାଣି ଘେରରେ । ଏ ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳର ନୁହେଁ । ଶିଳ୍ପ ସମୃଦ୍ଧ ଖଣିଜ ସମ୍ପଦ ଭରା ଯାଜପୁର ବ୍ୟାସନଗର । ମୁଖ୍ୟରାସ୍ତା ଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି ଲବଣି ଦେବୀ ଉଚ୍ଚ ବିଦ୍ୟାପୀଠ । ପ୍ରତିବର୍ଷ ଆସରାଏ ବର୍ଷାରେ ବିଦ୍ୟାଳୟଟି ସହରର ଡ୍ରେନ ପାଣି ଘେରରେ ରୁହେ । ଛାତ୍ରଛାତ୍ରୀ ଓ ଶିକ୍ଷକ ସମସ୍ତେ ଆଣ୍ଠୁଏ ପାଣିରେ ପଶି ସ୍କୁଲ ଯିବା ଆସିବା କରିଥାନ୍ତି । ତେଣୁ ବିଦ୍ୟାଳୟରେ ଉପସ୍ଥାପନା କମିବା ସହିତ ଧିରେଧିରେ ପିଲା ସ୍କୁଲ ଆସିବା ଛାଡ଼ି ଦେଉଥିବା ଅଭିଯୋଗ ହୋଇଛି ।
ସହରର ମୁଖ୍ୟ ରାସ୍ତା କଡ଼ରେ ନିର୍ମାଣ ହେଉଥିବା ଡ୍ରେନ କାର୍ଯ୍ୟ ଦୀର୍ଘଦିନ ହେବ ଅଧପନ୍ତରିଆ ହୋଇ ପଡିରହିଛି । ଡ୍ରେନକୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ କବଜା କରି ରଖିଛନ୍ତି । ଡ୍ରେନ ପାଣି ଠିକ ଭାବରେ ନିଷ୍କାସନ ନହୋଇ ବିଦ୍ୟାଳୟ ଚାରିପଟେ ଜମି ରହୁଥିବା ଅଘଟଣର ଆଶଙ୍କା କରୁଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ । ଦେଶର ଭବିଷ୍ୟତ ଗଢୁଥିବା ବିଦ୍ୟାଳୟର ସମସ୍ୟାକୁ ନେଇ ପୌର ନିର୍ବାହୀ ଆଧିକାରୀଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ଯଥାଶୀଘ୍ର ସରକାର ସମସ୍ୟାର ସମାଧାନ କଲେ ଭଲରେ ପାଠପଢି ଭଲ ମଣିଷ ହେବୁ କହିଛନ୍ତି ଛାତ୍ରଛାତ୍ରୀ ।