କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ବିଲଡର ସସ୍ମିତ ବିଶ୍ୱାଳ ହତ୍ୟା ମାମଲାରେ ଏୟାରଫିଲଡ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି । ଆଉ ୪ ଜଣ ଫେରାର ଅଛନ୍ତି । ପୁଲିସର ସ୍ବତନ୍ତ୍ର ଟିମ୍ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।
ସସ୍ମିତ ବିଶ୍ୱାଳ ଓରଫ ଚିନୁ, ଘର ଭୁବନେଶ୍ୱର ଏୟାରଫିଲଡ ଥାନା ଅଞ୍ଚଳରେ । ଜଣେ ବିଲଡର ବା ଜମି ବ୍ୟବସାୟୀ । ଭୁବନେଶ୍ୱର ପଧାନ ସାହି ଅଞ୍ଚଳରେ ଜମି କିଣାବିକାକୁ ନେଇ ସସ୍ମିତଙ୍କ ସହ କିଛି ଲୋକଙ୍କ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ସେହି ଜମି ନିକଟକୁ ଯାଇଥିଲେ ସୁଶାନ୍ତ । ହେଲେ ଆଉ ଘରକୁ ଫେରିନଥିଲେ । ବିବାଦୀୟ ଜମି ନିକଟରେ ୭ -୮ ଜଣ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରି ଫେରାର ହୋଇଥିଲେ ।
ଗୁରୁତ୍ୱପୂର୍ଣ କଥା ହେଉଛି, ସସ୍ମିତଙ୍କୁ ଜୀବନରୁ ମାରିଦେବା ପାଇଁ ପୂର୍ବରୁ ସୁକାନ୍ତ ବେହେରା ନାମକ ଜଣେ ବ୍ୟକ୍ତି ଗତ ମାର୍ଚ୍ଚ ୧୯ ତାରିଖରେ ଧମକ ଦେଇଥିଲେ । ଏନେଇ ସସ୍ମିତ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଏହି ଏତଲାରେ ସସ୍ମିତ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । କେବଳ ଏତିକି ନୁହେଁ, ପରିବାର ଲୋକ କରିଥିବା ଅଭିଯୋଗ ଅନୁସାରେ ସେହି ଜମିବାଡ଼ି ବିବାଦକୁ ନେଇ ଅନେକ ସମୟରେ କିଛି ଲୋକ ସସ୍ମିତଙ୍କୁ ବଟି ମଧ୍ୟ ମାଗୁଥିଲେ ।
ସସ୍ମିତଙ୍କୁ ହତ୍ୟା ନେଇ ଲିଖିତ ଅଭିଯୋଗ ପରେ ହତ୍ୟାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତ ଗୁଲୁ ମହାନ୍ତି, ମନୋଜ ବେହେରା ଓ ସୁକାନ୍ତ ବେହେରାଙ୍କୁ ପୁଲିସ ଗିରଫ କରିଛି । ଏହି ହତ୍ୟାକାଣ୍ଡରେ ୭ ଜଣଙ୍କ ସମ୍ପ୍ରୁକ୍ତି ଥିବା ବେଳେ ଆହୁରି ଚାରିଜଣ ଫେରାର ଅଛନ୍ତି ।