କନକବ୍ୟୁରୋ : ଲୋକସଭାରେ ଆଗତ କରାଯାଇଛି ବଜେଟ ୨୦୨୫ । ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ଅଷ୍ଟମ ଥର ପାଇଁ ଦେଶର ଆୟ ଓ ବ୍ୟୟର ଅଟକଳ ରଖିବେ ନିର୍ମଳା ସୀତାରମଣ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ସାରିଛନ୍ତି । ଭାରତ ହେବ ନ୍ୟୁକ୍ଲିୟର୍ ପାଓ୍ବାର ହବ୍ । ବଜେଟ୍ରେ ବଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପରମାଣୁ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ୨୦ ହଜାର କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି ।
ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପରମାଣୁ ଶକ୍ତି ମିଶନ ଅଧୀନରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ୧୦୦ GW ପରମାଣୁ ଶକ୍ତି ବିକଶିତ କରାଯିବ । ଏଥିପାଇଁ ପରମାଣୁ ଶକ୍ତି ଆଇନରେ ସଂଶୋଧନ କରାଯିବ । ଏହାବ୍ୟତୀତ ସରକାର ଜାହାଜ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବାରୁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନାକୁ ପୁଣି ଥରେ ଆରମ୍ଭ କରାଯିବ। ଜାହାଜ ନିର୍ମାଣ ଗୋଷ୍ଠୀଗୁଡ଼ିକୁ ସୁବିଧା ଯୋଗାଇ ଦିଆଯିବ । ଅର୍ଥମନ୍ତ୍ରୀ ଭାଷଣରେ କହିଛନ୍ତି କି ସରକାର ସମସ୍ତଙ୍କ ବିକାଶ ଉପରେ ଧ୍ୟାନ ଦେଉଛନ୍ତି । ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଆମର ଅର୍ଥନୀତି ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି । ଗତ ୧୦ ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ ରେକର୍ଡ ଏବଂ ସଂରଞ୍ଚନାତ୍ମକ ସୁଧାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।
ଅର୍ଥମନ୍ତ୍ରୀ କହିଛନ୍ତି କି ଭାରତର ସାମର୍ଥ୍ୟ ଏବଂ କ୍ଷମତା ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧି ପାଇଛି । ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ ଆମର ଫୋକସ୍ 'GYAN' ଉପରେ ରହିଛି । ଯାହାର ଅର୍ଥ - ଗରିବ, ଯୁବକ, ଖାଦ୍ୟ ଯୋଗାଣକାରୀ ଏବଂ ମହିଳା ଶକ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ ଆମେ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରିଛୁ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଉଡାଣ ଯୋଜନାରେ ଖୁବଶୀଘ୍ର ଯୋଡି ହେବେ ଆଉ ୧୦୦ ସହର । ମାତ୍ର ୧୦ ବର୍ଷରେ ତିଆରି ହେବ ୧୨୦ ବିମାନ ବନ୍ଦର । ଉଡାଣ ଯୋଜନାରେ ୧.୫ କୋଟି ଲୋକ ଉପକୃତ ହେବେ , ୨୦୧୮ ପର୍ଯ୍ୟନ୍ତ ଜଳଜୀବନ ମିଶନକୁ କାର୍ଯ୍ୟକାରୀ କରାଯିବ । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ।