କନକ ବ୍ୟୁରୋ: ବଜେଟ୍ ୨୦୨୫ । ଏଥର କେବେ ହେବ । ଏନେଇ ଏବେଠୁ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । କାରଣ ପ୍ରତିବର୍ଷ ଫେବ୍ରୁଆରୀ ପ୍ରଥମ କିମ୍ୱା ଦ୍ବିତୀୟ ସପ୍ତାହରେ ଦେଶର ବଜେଟ୍ ଉପସ୍ଥାପନ ହୁଏ । ମୋଦି ସରକାରଙ୍କ ତୃତୀୟ ପାଳିରେ ଦେଶର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ହେଲେ କେବେ ହେବ ତାହାକୁ ନେଇ ଏବେଠୁ ଚର୍ଚ୍ଚା । କାରଣ ସରକାରକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ତୃତୀୟ ପାଳିର ଏହି ତୃତୀୟ ପୂର୍ଣ୍ଣାଙ୍ଗ ବଜେଟ୍ । ତେଣୁ କେଉଁ କ୍ଷେତ୍ରକୁ କେତେ ଗୁରୁତ୍ବ ମିଳୁଛି, କାହାର ଦାମ କମୁଛି ତ ପୁଣି କାହାର ଦାମ ବଢୁଛି ସେନେଇ ବି ଆଲୋଚନା ଚାଲିଛି ।
ଏଥର ଶୀଘ୍ର ବଜେଟ୍ ଉପସ୍ଥାପିତ କରିପାରନ୍ତି କେନ୍ଦ୍ର ସରକାର । କାରଣ ନିର୍ବାଚନ ବେଳେ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଲାଗି ଟଙ୍କାର ଆବଶ୍ୟକତା ରହିଛି । ତେଣୁ ବଜେଟ୍ ଉପସ୍ଥାପନ ଉପରେ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ଅର୍ଥ ବ୍ୟୟବରାଦ ହେଲେ ନୂଆନୂଆ କାମ ବି ଆରମ୍ଭ ହେବ । ସେଇଥି ଲାଗି ତ ପୁରାଦେଶର ଲୋକ ଚାତକ ପରି ଚାହିଁ ରହିଛନ୍ତି ଦେଶର ବଜେଟ୍କୁ । କୁହାଯାଉଛି କି, ଫେବ୍ରୁଆରୀ ୧ ତାରିଖରେ ହିଁ ବଜେଟ୍ ଉପସ୍ଥାପନ ହେବ ।
ପୂର୍ବରୁ ସଂଧ୍ୟାରେ ଉପସ୍ଥାପନ ହେଉଥିଲା ବଜେଟ୍
ବର୍ଷବର୍ଷ ହେଲାଣି ଫେବ୍ରୁଆରୀ ମାସର ଶେଷ ବ୍ୟାଙ୍କିଂ ଦିବସ ସଂଧ୍ୟାରେ ବଜେଟ୍ ଉପସ୍ଥାପନ ହେଉଥିଲା । ଏମିତି ପରମ୍ପରା ଅନେକ ବର୍ଷ ଧରି ଚାଲୁଥିଲା । ହେଲେ କଂଗ୍ରେସ ସରକାର ସମୟରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ ସଂଧ୍ୟା ୫ଟାରେ ଉପସ୍ଥାପିତ ହେଉଥିବା ବଜେଟ୍ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ ଏବଂ ସଂଧ୍ୟା ୫ ବଦଳରେ ପୂର୍ବାହ୍ଣ ୧୧ଟା ବେଳେ ବଜେଟ୍ ହେଲା । ସମୟ ବଦଳାଇବାର ମୁଖ୍ୟ କାରଣ ଥିଲା ବଜେଟ୍କୁ ନେଇ ଭଲଭାବରେ ଗୃହରେ ଆଲୋଚନା ହେଉ ।
ଏ ବର୍ଷ କେଉଁ ଦିନ ଓ କେଉଁ ସମୟରେ ହେବ ବଜେଟ୍
ପୂର୍ବରୁ ଅର୍ଥମନ୍ତ୍ରୀ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଥିବା ବେଳେ ରେଳମନ୍ତ୍ରୀ ରେଲୱେ ବଜେଟ୍ ଉପସ୍ଥାପନ କରୁଥିଲେ । କିନ୍ତୁ ମୋଦି ସରକାର ଆସିବା ପରେ ଏହି ପରମ୍ପରାରେ ବିରାମ ଲାଗିଥିଲା । ଅର୍ଥମନ୍ତ୍ରୀ ପୁରା ଦେଶର ବଜେଟ୍ ଉପସ୍ଥାପିତ କରୁଥିଲେ । ତେଣୁ ଏଥର ବି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପିତ କରିବେ । ନିର୍ମଳା ଲଗାତାର ୮ ଥର ହେବ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟ୍ରେ ବାର୍ଷିକ ଓ ଦୁଇ ଅନ୍ତରୀଣ ବଜେଟ୍ ସାମିଲ ରହିଛି ।
କଣ ହୋଇପାରେ ଏହି ବଜେଟ୍ରେ
କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଅନେକ ଆଶା ରହିଥାଏ ସାଧାରଣ ଲୋକଙ୍କର । କାରଣ ପୁରା ବର୍ଷର ଆର୍ଥିକ ସ୍ଥିତି ବଜେଟ୍ ଉପରେ ନିର୍ଭର କରେ । ଖାସ କରି ଏଥର ବଜେଟ୍ରେ ଅଧିକ ନିଯୁକ୍ତି ସୁଯୋଗ ସହିତ ଇନକମ୍ ଟାକ୍ସରେ ରିହାତି ମିଳିବା ନେଇ କିଛି ବଡ଼ ଘୋଷଣା କରିପାରନ୍ତି ସରକାର । ୧୦ ଲକ୍ଷ ପର୍ଯ୍ୟନ୍ତ ଆୟରେ ବଡ଼ ରିହାତି ମିଳିବା ନେଇ ସମ୍ଭାବନା ରହିଛି । ଖାଲି ଏତିକି ନୁହେଁ ବରଂ ଚାଷୀଙ୍କ ଲାଗି ବଡ଼ ଘୋଷଣା ହୋଇପାରେ ।
କେଉଁ ଚ୍ୟାନେଲରେ ପ୍ରସାରିତ ହେବ ବଜେଟ୍
ସଂସଦରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍ ଏଥର ସଂସଦ ଟିଭି ଓ ଦୂରଦର୍ଶନ ମଧ୍ୟରେ ହେବ । ୧ ଫେବ୍ରୁଆରୀ ପୂର୍ବାହ୍ନ ୧୧ଟାରୁ ବଜେଟ୍ ପ୍ରସାରିତ ହେବ । ମୋଟ୍ ଉପରେ ବଜେଟ୍କୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଚାଲିଛି । କାରଣ ମୋଦି ବିଜୟ ହେବା ପରେ ଦେଶବାସୀଙ୍କର ଅନେକ ଆଶା ରହିଛି ଦରଦାମ କମିବ ବୋଲି । କାରଣ ବିଗତ କିଛିଦିନ ମଧ୍ୟରେ ଅହେତୁକ ଦରଦାମ ବଢିଛି, ଯାହାଦ୍ବାରା ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି । ତେଣୁ ଦରଦାର କମିବା ନେଇ ଜୋରଦାର ଦାବି ହେଉଛି । ଏହି ଦାବିକୁ କେନ୍ଦ୍ର ସରକାର ଗୁରୁତର ସହ ନେଇଥିବା ଚର୍ଚ୍ଚା ହେଉଛି । ଏପଟେ କେନ୍ଦ୍ରୀୟ ବଜେଟ୍ ପରେ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରନ୍ତି । ତେଣୁ ରାଜ୍ୟରେ ବି ଅନେକ ଲୋକାଭିମୁଖୀ ଯୋଜନା ହେବ ବୋଲି କୁହାଯାଉଛି । ଏବେ କେବଳ ଅପେକ୍ଷା ଉଭୟ ସରକାରଙ୍କ ବଜେଟ୍ ଉପସ୍ଥାପନାକୁ ।