BSNL Director Photograph: (kanak news)
କନକ ବ୍ୟୁରୋ : ବିଏସ୍ଏନ୍ଏଲ୍ ନିର୍ଦ୍ଦେଶକ ବିବେକ ବଞ୍ଜଲଙ୍କ ପ୍ରସ୍ତାବିତ ପ୍ରୟାଗରାଜ ଯାତ୍ରାକୁ ନେଇ ବିବାଦ ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଏହା ଗ୍ରହଣ ଯୋଗ୍ୟ ନୁହେଁ ବୋଲି କହିଛନ୍ତି । ବଞ୍ଜଲଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ତାଙ୍କୁ ନୋଟିସର ଜବାବ ରଖିବାକୁ କୁହାଯାଇଛି। ତାଙ୍କ ଜବାବର ତର୍ଜମା କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିନ୍ଧିଆ କହିଛନ୍ତି । ଫେବ୍ରୁଆରି ୨୫-୨୬ ତାରିଖରେ ବଞ୍ଜଲଙ୍କ ପ୍ରୟାଗରାଜ ଯାତ୍ରା ପାଇଁ କାର୍ଯ୍ୟାଳୟ ପକ୍ଷରୁ ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ‘ରୟାଲ ପ୍ରୋଟୋକଲ’ କହି ସମାଲୋଚନା କରିଥିଲେ ।
ବଞ୍ଜଲଙ୍କ ପ୍ରସ୍ତାବିତ ଯାତ୍ରା ପାଇଁ ୫୦ ଜଣ କର୍ମଚାରୀ ନିୟୋଜିତ ଥିବା ସହିତ ସ୍ନାନ କିଟ୍ଠାରୁ ଟାୱେଲ ଓ ଅଣ୍ଡରୱେର୍ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଥିଲା। ଏହି ମିନିଟ୍ରୁ ମିନିଟ୍ କାର୍ଯ୍ୟ ସୂଚୀ ଦେଖି ଲୋକମାନେ ଏହାକୁ ଭିଆଇପି ସଂସ୍କୃତିର ପାଠାକାଷ୍ଠା ବୋଲି କହିଥିଲେ। ବିଏସ୍ଏନ୍ଏଲ୍ ପକ୍ଷରୁ ୧୯ ଫେବ୍ରୁଆରିରେ ଜାରି ଏହି ଚିଠି ଡେପୁଟି ଜେନେରାଲ ମ୍ୟାନେଜର ସ୍ତରୀୟ ଅଧିକାରୀ ଜାରି କରିଥିଲେ। ବଞ୍ଜଲଙ୍କ ଗସ୍ତ ପାଇଁ ୫୦ରୁ ଅଧିକ କର୍ମଚାରୀଙ୍କୁ ୨୧ ରୁ ଅଧିକ ଅଲଗା ଦାୟିତ୍ବ ଦିଆଯାଇଥିଲା। ଏଥିରେ ପ୍ରୟାଗରାଜ ରେଳ ଷ୍ଟେସନରୁ ଔପଚାରିକ ସ୍ବାଗତଠାରୁ ତ୍ରିବେଣୀ ସଙ୍ଗମ ସ୍ନାନ, ମନ୍ଦିର ଦର୍ଶନ, ନୌକା ବ୍ୟବସ୍ଥା, ଭୋଜନ ନେଇ ଯେଉଁ କାର୍ଯ୍ୟସୂଚୀ ରହିଥିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ପରେ ବଞ୍ଜଲଙ୍କ ପ୍ରସ୍ତାବିତ ଗସ୍ତ ବାତିଲ ହୋଇଥିଲା ।
ଅଧିକ ପଢ଼ନ୍ତୁ---ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ; କିଶୋରୀଙ୍କୁ ଦିଆଯିବ କ୍ୟାନ୍ସର ଭ୍ୟାକ୍ସିନ
Follow Us