କନକ ବ୍ୟୁରୋ: ବିଏସଏନଏଲକୁ ବଳ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ସ୍ବଦେଶୀ ୪-ଜି ସେବା ଲଞ୍ଚ ସହ ପୁଣିଥରେ ପୂରା ଭାରତକୁ ଟେଲିକମ୍ ବ୍ୟବସ୍ଥାରେ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଏହା ଆଗକୁ ବାଟ କଢାଇ ନେବ ।
ସାରା ଦେଶରେ ଟେଲିକମ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ଆରମ୍ଭ ହୋଇଛି ବିଏସଏନଏଲର ସ୍ବଦେଶୀ ୪-ଜି ସେବା । ଝାରସୁଗୁଡା ମାଟିରୁ ଏହାକୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତୀୟ ଟେଲିକମ୍ ସେକ୍ଟର ପାଇଁ ଏହା ଆଶୀର୍ବାଦ ସଦୃଶ । ବିଏସଏନଏଲର ୨୫ ବର୍ଷ ପୂର୍ତ୍ତି ଅବସରରେ ୪-ଜି ସେବା ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ବାରା ନେଟୱର୍କ ନଥିବା ୨୭ ହଜାର ଅପହଞ୍ଚ ଓ ସୀମାବର୍ତ୍ତୀ ଗାଁକୁ ମିଳିବ ଟେଲିକମ୍ ସୁବିଧା। ଯେଉଁଥିରେ ଓଡ଼ିଶାର ୨୪୭୨ଟି ଗାଁ ରହିଛି । ୯୭ ହଜାର ୫୦୦ ନୂଆ ମୋବାଇଲ ଟାୱାରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରାୀ । ଯେଉଁଥିରେ ୯୨ ହଜାର ୬୦୦ ମୋବାଇଲ ଟାୱାର କେବଳ ୪-ଜି ସେବା ଯୋଗାଇଦେବ । ଏଥିପାଇଁ ଖର୍ଚ୍ଚ ହୋଇଛି ୩୭ ହଜାର କୋଟି ଟଙ୍କା ।
ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଭିଜିନକୁ ବଳ ଦେବ ବିଏସଏନଏଲର ୪-ଜି ସେବା । ଏହାଦ୍ବାରା ଅପହଞ୍ଚ ଓ ଗ୍ରାମୀଣ ଅଞ୍ଚଳରେ ଯୋଗାଯୋଗକୁ ଆହୁରି ସୁଦୃଢ କରାଯାଇପାରିବ । ପାଖାପାଖି ୨୦ ଲକ୍ଷ ନୂଆ ୟୁଜର୍ସଙ୍କୁ ଏହି ୪-ଜି ସେବା ଦ୍ବାରା ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି । କେବଳ ୪-ଜି ସେବା ଯୋଗାଇଦେଇ ଅଟକିବନି ବିଏସଏନଏଲ । ଅନ୍ୟ ଅପରେଟଙ୍କର ଭଳି ୫-ଜି ସେବା ପାଇଁ ଏହା ମାର୍ଗ ଉନ୍ମୁକ୍ତ କରିଛି । ନୂଆ ମୋବାଇଲ ଟାୱାର ସୋଲାର ଦ୍ବାରା ପରିଚାଳିତ ପାଇଁ ସୁବିଧା ରହିଛି ।
୪-ଜି ସେବା ନଥିବାରୁ ବିଏସଏନଏଲ ଗ୍ରାହକଙ୍କ ସଂଖ୍ୟା କମୁଥିଲା । ହେଲେ ମୋଦୀ ସ୍ବଦେଶୀ ୪-ଜି ସେବା ଆରମ୍ଭ କରିବା ଦ୍ବାରା ବିଏସଏନଏଲ ପୁଣିଥରେ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବ ।