କନକ ବ୍ୟୁରୋ : ବିଦ୍ୟାମନ୍ଦିରରେ ହତ୍ୟା । ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ଦ୍ୱାରା ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା। ଗୁଜରାଟର ଅହମ୍ମଦାବାଦ ସ୍ଥିତ ଘରୋଇ ବିଦ୍ୟାଳୟରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ଅଷ୍ଟମ ଶ୍ରେଣୀର ଜଣେ ଛାତ୍ର ଦଶମ ଶ୍ରେଣୀର ଜଣେ ଛାତ୍ରକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି ।  ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା । ଏହା ପରେ କଥା ହାତାହାତି ପର୍ଯ୍ୟନ୍ତ  ଯାଇଥିଲା । ଶେଷରେ ଛାତ୍ର ଜଣଙ୍କ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଥିଲେ ।

Advertisment

ସ୍କୁଲ ବାହାରେ ଛୋଟ ବିବାଦ ହତ୍ୟାର ରୂପ ନେବ, ଏହା ଭାବିବା ମଧ୍ୟ ଅସହଜ ମନେହେଉଛି । ଗୁରୁତର ଆହତ ଛାତ୍ରଙ୍କୁ ମଣିନଗରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକେ ସ୍କୁଲ ପରିସରରେ ଜମାହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉତ୍ତେଜିତ ଲୋକ ସ୍କୁଲ ଭିତରେ ପଶି ଭଙ୍ଗାରୁଜା କରିଥିଲେ ଏବଂ ସ୍କୁଲ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପୁଲିସ ଅଭିଯୁକ୍ତଙ୍କୁ ହେପାଜତରେ ନେଇ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଓ ଛାତ୍ରଙ୍କ ବୟାନ ସଂଗ୍ରହ କରାଯାଉଛି । ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲକୁ ନୋଟିସ ଜାରି କରିଛନ୍ତି ।

ପୁଲିସର କହିବା ଅନୁଯାୟୀ, ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ଏବଂ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ସପ୍ତାହ ପୂର୍ବରୁ ଝଗଡ଼ା ଆରମ୍ଭ ହୋଇଥିଲା । ମାମଲାରେ ପୁଲିସ ଅନେକ ଛାତ୍ରଙ୍କ ବୟାନ ରେକର୍ଡ କରିଛି । ସ୍କୁଲକୁ ସିସିଟିଭି ଫୁଟେଜ୍ ସହିତ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।