କନକ ବ୍ୟୁରୋ: ରାଜସ୍ଥାନରେ ଆରମ୍ଭ ହୋଇଗଲା ଗ୍ୟାଙ୍ଗୱାର୍ । ରାଜରାସ୍ତାରେ ଫିଲ୍ମ ଷ୍ଟାଇଲ୍‌ରେ ହେଲା ଆକ୍ରମଣ । ରାଜସ୍ଥାନ ସୁରଜଗଡ଼ରେ କାକୋଡ଼ା ସରପଞ୍ଚଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣର ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଅଜଣା ଦୁର୍ବୃତ୍ତମାନେ କାକୋଡ଼ା ଗାଁର ସରପଞ୍ଚ ସନ୍ଦୀପ ଡୈଲାଙ୍କ ଗାଡ଼ି ଉପରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ବରାସିଆ କଲେଜ ନିକଟରେ ଘଟିଥିବା ଏହି ଆକ୍ରମଣରେ ସରପଞ୍ଚ ସନ୍ଦୀପ ଓ ତାଙ୍କ ସାଙ୍ଗ ଦେବୀ ସିଂ ଓଲା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆକ୍ରମଣକାରୀମାନେ ଗାଡ଼ିରେ ଆସି ସରପଞ୍ଚଙ୍କ ଗାଡ଼ିକୁ ଅଟକାଇ ଲାଠି ଓ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏଥିରେ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ସିସିଟିଭିରେ ରେକର୍ଡ ହୋଇଛି ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ପ୍ରାୟ ୧୨ ଜଣ ଦୁର୍ବୃତ୍ତ ଆକ୍ରମଣରେ ସାମିଲ ଥିଲେ । ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଏହା ବ୍ୟକ୍ତିଗତ ଶତ୍ରୁତା ସହିତ ପଞ୍ଚାୟତ ନିର୍ବାଚନ ସମୟରେ ସନ୍ଦୀପଙ୍କ ସହ ହୋଇଥିବା ରାଜନୈତିକ ବିବାଦର ପରିଣାମ ହୋଇପାରେ । ସନ୍ଦୀପ ଡୈଲା ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ରାଜସ୍ଥାନରେ ଭୟର ବାତାବରଣ ସୃଷ୍ଟି କରିଛି ଏବଂ ସମ୍ପୃକ୍ତ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି ।