କନକ ବ୍ୟୁରୋ : ବିଆରଏସରୁ ନିଲମ୍ବନ ହୋଇଥିବା କେ.କବିତା ଏମଏଲସି ପଦରୁ ଇସ୍ତଫା ଦେବା ସହିତ ଦଳ ମଧ୍ୟ ଛାଡ଼ିଛନ୍ତି । ବର୍ତ୍ତମାନର ସ୍ଥିତି ପାଇଁ କବିତା ତାଙ୍କ ସମ୍ପର୍କୀୟ ଭାଇ ଟି ହରିଶ ରାଓ ଓ ସନ୍ତୋଷ କୁମାରଙ୍କୁ ଦାୟୀ କରିଛନ୍ତି ।
ବିଆରଏସରୁ ତାଙ୍କର ନିଲମ୍ବନ ପାଇଁ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଟି ହରିଶ ରାଓଙ୍କୁ ଦାୟୀ କରିଥିବା କବିତା ଆଜି ବହୁ ବିଷ ଉଗାରିଛନ୍ତି । ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଓ ବିଜେପି ନେତା ଏତେଲା ରାଜେନ୍ଦ୍ରଙ୍କ ସହ ମିଶି ଟି.ହରିଶ ରାଓ ହିଁ ଷଡଯନ୍ତ୍ର କରି ତାଙ୍କୁ ଦଳରୁ ନିଳମ୍ବିତ କରିଛନ୍ତି ବୋଲି କବିତା ଅଭିଯୋଗ କରିଛନ୍ତି । ନିଜ ଭାଇ ବିଆରଏସର କାର୍ଯ୍ୟକାରୀ ସଭାପତି କେଟି ରାମାରାଓଙ୍କୁ ସମ୍ବୋଧିତ କରି କବିତା, ବାପା କେସିଆର ତଥା ଦଳ କର୍ମୀଙ୍କ କଥା ବୁଝିବାକୁ ଅନୁରୋଧ କରିଛନ୍ତି ।
ଏମଏଲସି ପଦବୀରୁ ଇସ୍ତଫା ଓ ଦଳ ଛାଡିବା ପରେ କବିତାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ବିରୋଧ କରୁଥିବାରୁ କବିତାଙ୍କର କଂଗ୍ରେସ ସହ ମିଶିବା ସମ୍ଭାବନା ନାହିଁ । ଏହାଛଡା ଇଡି ଦ୍ବାରା ଗିରଫ ପାଇଁ ବିଜେପିକୁ ଦାୟୀ କରୁଥିବାରୁ ବିଜେପିରେ ଯୋଗଦେବା କୌଣସି ଆଶା ମଧ୍ୟ ନାହିଁ । ଏଭଳି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା ପ୍ରତିଷ୍ଠା କରିଥିବା ଏନଜିଓ ତେଲେଙ୍ଗାନା ଜାଗୃତି ସମିତିକୁ ଏକ ରାଜନୈତିକ ଦଳରେ ପରିଣତ କରିବା ସମ୍ଭାବନା ରହିଛି ।