କନକ ବ୍ୟୁରୋ: ଧଳା ଜହର କବଳରେ ଓଡ଼ିଶା । ରାଜଧାନୀ ଠାରୁ ଆରମ୍ଭ କରି ପୁରୀ, କଟକ, ବ୍ରହ୍ମପୁର, ଜଗତସିଂହପୁର । ସବୁଠି ସକ୍ରିୟ ବ୍ରାଉନସୁଗାର ବେପାରୀ । ଆଉ ଏହି ଧଳାଜହାର ନିଶାରେ ବାଟବଣା ଯୁବପିଢ଼ି । ଆଜି ଭୁବନେଶ୍ୱରରେ ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୩ ମାଷ୍ଟରମାଇଣ୍ଡକୁ ଗିରଫ କରିଛି କମିସନରେଟ୍ ପୁଲିସ । ସେପଟେ ରାଜ୍ୟରେ କେମିତି କୋଟି କୋଟି ଟଙ୍କାର ଧଳାଜହର କାରବାର କାୟା ମେଲାଇଛି, ବିଧାନସଭାରୁ ସାମ୍ନାକୁ ଆସିଛି ସାଂଘାତିକ ସତ ।
- ପୁରୀ, ଭୁବନେଶ୍ୱର, ବାଲେଶ୍ୱର, ଜଗତସିଂହପୁର
- ଓଡ଼ିଶାର ୪ ବ୍ରାଉନସୁଗାର୍ ହଟ୍ସ୍ପଟ୍
- ଧଳାଜହରକୁ ନେଇ ବିଧାନସଭାରେ ହୁଲସ୍ତୁଲ
ଅବୈଧ ନିଶାଦ୍ରବ୍ୟ ହେରୋଇନ୍ ବା ବ୍ରାଉନସୁଗାରକୁ ନେଇ ବିଧାନସଭାରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୨୦୨୫-୨୬ ଫେବ୍ରୁଆରି ସୁଦ୍ଧା ରାଜ୍ୟରେ ଜବତ ହୋଇଛି ୪୦ କେଜି ୨୭୮ ଗ୍ରାମ୍ ବ୍ରାଉନସୁଗାର । ଗିରଫ ହୋଇଛନ୍ତି ୪୮୧ ଜଣ । ପୁରୀରୁ ସର୍ବାଧିକ ୬ କେଜି ୭୦୪ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ତା ତଳକୁ ଭୁବନେଶ୍ୱରରୁ ମିଳିଛି ୬ କେଜି ୨୫୯ ଗ୍ରାମ୍ ଧଳାଜହର। କେବଳ ଚଳିତ ବର୍ଷ ନୁହେଁ, ପୂର୍ବରୁ ବି ରାଜ୍ୟର ଏ ସଂପର୍କିତ ତଥ୍ୟ ଚିନ୍ତାଜନକ ରହିଛି ।
ଏହା ବି ପଢ଼ନ୍ତୁ: ଆଦିବାସୀଙ୍କୁ ଠକି ଅଫିମ ଚାଷ କରୁଛନ୍ତି ମାଫିଆ, ସରଳତାର ସୁଯୋଗ ନେଇ ବଢ଼ାଉଛନ୍ତି ନିଶା ସାମ୍ରାଜ୍ୟ
କୋଲକାତାରୁ ରାଜଧାନୀ, ଭାୟା ଜଳେଶ୍ୱର !
କୋଲକାତାରୁ ବାଲେଶ୍ୱର ଜିଲ୍ଲାର ସୀମାନ୍ତ ଜଳେଶ୍ୱର ଦେଇ ଚୋରାରେ ବ୍ରାଉନସୁଗାର ଚେର ଓଡ଼ିଶାକୁ ମାଡ଼ିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରୁ ଧରାପଡ଼ିଛନ୍ତି ବହୁ ଧଳାଜହର ବେପାରୀ। ବିଶେଷ କରି, କଲେଜ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଟାର୍ଗେଟ୍ କରୁଛନ୍ତି ନିଶା ମାଫିଆ । ୧୦ ଗ୍ରାମ୍କୁ ଆନୁମାନିକ ୧ ଲକ୍ଷ ଟଙ୍କା । ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରାଯାଉଛି । ପାନ ଦୋକାନରେ ବି ବ୍ରାଉନସୁଗାର ମିଳିଥିବା ନଜିର ରହିଛି । ଆଜି କୋଲକାତାରୁ ଆଣି ଓଡ଼ିଶାରେ ବେପାର କରୁଥିବା ୩ ମାଷ୍ଟର ମାଇଣ୍ଡକୁ ଗିରଫ କରିବା ସହ ୩୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି କମିସନରେଟ ପୁଲିସ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ଗାଁ ଓ ଜଙ୍ଗଲ ଜମି ଆଢୁଆଳରେ ଅଫିମ ଚାଷ ହେଉଥିବା ବେଳେ, ମାଫିଆଙ୍କ କବଳରୁ ନିରୀହ ଆଦିବାସୀଙ୍କୁ ରକ୍ଷା କରିବା ପାଇଁ ଅବକାରୀ ବିଭାଗ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/21/dhala-jahara-2026-02-21-20-57-55.png)