କନକ ବ୍ୟୁରୋ : ଭାଇମାନଙ୍କର ଶୁଭ ମନାସି ଭଉଣୀ ରଖନ୍ତି ଖୁଦୁରୁକୁଣୀଙ୍କ ଓଷା । ବେଶ ହସଖୁସିରେ ଝିଅ ମାନେ ଏହି ବ୍ରତ ରଖିଥାନ୍ତି । ହେଲେ ଜଗତସିଂହପୁରରେ ଏହି ଖୁସିର ଦିନରେ ଗୋଟିଏ ପରିବାର ଉପରେ ଘୋଟିଆସିଛି ଦୁଃଖର କଳା ବାଦଲ । ପୂଜା ପାଇଁ ଲିଚୁ ଲଗାଇବା ସମୟରେ ବିଦ୍ୟୁତ ଆଘାତରେ ଭାଇର ଚାଲିଯାଇଛି ଜୀବନ ।

Advertisment

ମୋ ଭାଇକୁ କିଏ ଫେରାଇଦିଅ ? ତାକୁ ଡାକି ଆଣ । କୁଆଡ଼େ ଚାଲିଗଲା ସିଏ ? ମୁଁ ପରା ତା’ ପାଇଁ ଖୁଦୁରୁକୁଣୀ କରିଥିଲି । ଏବେ ତା’ ହାତରେ ରାଖୀ ବାନ୍ଧିଥିଲି । ହେଲେ ଇଏ କ’ଣ ହେଲା ? ସିଏ କ’ଣ ଆଉ ଆମ ପାଖକୁ ଫେରିବନି ? ଏମିତି କହି କାନ୍ଦି କାନ୍ଦି ଭୂଇଁରେ ଗଡ଼ିଯାଉଛନ୍ତି ଭଉଣୀମାନେ । ଗୋଟିଏ ବୋଲି ଭାଇ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇବା ପରେ ଭାଙ୍ଗିପଡ଼ିଛନ୍ତି ସମସ୍ତେ ।

ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋରକୋର ଗାଁର ଅଶୋକ ସ୍ବାଇଁଙ୍କ ୩ଝିଅ ଓ ଗୋଟିଏ ପୁଅ । ଖୁଦୁରୁକୁଣୀ ଓଷା ପାଇଁ ଭଉଣୀମାନଙ୍କ ସହ ପୂଜା ପ୍ରସ୍ତୁତିରେ ଲାଗିଥିଲେ ୨୦ ବର୍ଷୀୟ ଭାଇ ରୁଦ୍ରନାରାୟଣ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଲିଚୁ ସଜାଉଥିଲା ବେଳେ ରୁଦ୍ରଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସଂପର୍କୀୟ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂଜା ପାର୍ବଣ ସମୟରେ ମେଢ଼କୁ ସଜେଇବା ପାଇଁ ଲିଚୁ ଲଗାଇଥାନ୍ତି । ହେଲେ ସେହି ଲିଚୁ ଲଗାଇ ଲିଭିଯାଇଛି ଗୋଟିଏ ଘରର କୁଳପ୍ରଦୀପ । ରୁଦ୍ରନାରାୟଣଙ୍କ ମୃତ୍ୟୁରେ ଅସହାୟ ହୋଇପଡ଼ିଛନ୍ତି ବାପା ମା’ । ଶୋକରେ ବୁଡ଼ିଛି ପୂରା ଗାଁ ।