କନକ ବ୍ୟୁରୋ : ଦଶହରା ଛୁଟିରେ ମାମୁଁ ଘର ବୁଲିବାକୁ ଆସିଥିଲେ ଭାଇ ଭଇଣୀ । ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ଭାଇ ଭଉଣୀ ପ୍ରାଣ ହରାଇଛନ୍ତି । ବାଲିଅନ୍ତା ଥାନା ସୁଭାଲୋ ଗ୍ରାମରେ ଘଟିଥିବା ଏହି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ଖେଲାଇ ଦେଇଛି ।
ଭୁବନେଶ୍ୱର ଉପକଣ୍ଠ କୋରଡକଣ୍ଟା ଗାଁର ସୁଭଶ୍ରୀ ଜେନା ଓ ସାନ ଭାଇ ଭାଗରଥୀ ଜେନା ଦଶହରା ଛୁଟିରେ ମାମୁଁ ଘର ସୁଭାଲୋକୁ ବୁଲିବାକୁ ଆସିଥିଲେ । ସକାଳେ ଏହି ପୋଖରୀକୁ ଆଈଙ୍କ ସହ ଗାଧୋଇବାକୁ ଆସିଥିଲେ ଭାଇ ଭଉଣୀ । ହେଲେ କିଏ ଜାଣିଥିଲା ପୋଖରୀରେ ତାଙ୍କୁ କାଳ ଜଗିଛି । ଆଈକୁ ଘରକୁ ପଠାଇଦେଇ ଗାଧୋଇବା ବେଳେ ପାହାଚ ଶିଉଳିରେ ଗୋଡ ଖସିଯିବାରୁ ପୋଖରୀରେ ବୁଡ଼ିଯାଇଥିଲା ସାନ ଭାଇ । ଭାଇକୁ ବଞ୍ଚାଇବା ପାଇଁ ଭଉଣୀ ମଧ୍ୟ ପୋଖରୀକୁ ଡେଇଁପଡିଥିଲେ । ପହଁରା ଜାଣିନଥିବାରୁ ଦୁହେଁ ପୋଖରୀରେ ବୁଡ଼ି ଯାଇଥିଲେ ।
ଦୀର୍ଘ ସମୟ ଘରକୁ ନଫେରିବାକୁ ପୋଖରୀକୁ ଧାଇଁଥିଲେ ମାମୁଁ ଘର ଲୋକ । ପୋଖରୀ ହୁଡାରେ ଭାଇ-ଭଉଣୀଙ୍କ ଚପଲ ଓ ପୋଷାକ ପଡିଥିଲା । ହେଲେ ନଥିଲେ ଶୁଭଶ୍ରୀ କି ଭାଗରଥୀ । ଗ୍ରାମବାସୀ ପୋଖରୀରେ ଖୋଜା ଖୋଜି କରି ଦୁଇ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲେ । ସେଠାରେ ଡାକ୍ତର ଭାଇ- ଭଉଣୀଙ୍କୁ ମୃତ ଘୋଷଣା କରିଛନ୍ତି ।
କ୍ରୁର ନିୟତିର ଖେଳ ଏମିତି ଯେ, ପିଲା ରହିବେ, ପାଠ ପଢିବେ ବୋଲି ନୂଆ ଘର ତିଆରି ଚାଲିଛି, ଆଉ ଏପଟେ ତାଙ୍କୁ ଶ୍ମଶାନକୁ ନେବା ପାଇଁ କୋକେଇ ବନ୍ଧା ହେଉଛି ।