କନକ ବ୍ୟୁରୋ : ରବି ଧାନ ବିକିବାକୁ ଫନ୍ଦି କରି ଧରାପଡ଼ିଛନ୍ତି ଦଲାଲ ଚାଷୀ । ଏଥିପାଇଁ ଲକ୍ଷେ ୮୪ ହଜାର ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଏହାପରେ ସମବାୟ ମନ୍ତ୍ରୀ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ମନ୍ତ୍ରୀ କହିଛନ୍ତି, ଧରାପଡ଼ିଥିବା ଲୋକ ବିଜେଡି ସମର୍ଥକ । ବିଗତ ସରକାରରୁ ଚାଷୀଙ୍କ ନାଁରେ ମିଛ ପଞ୍ଜୀକରଣ କରି ଜାଲିଆତି କରାଯାଉଥିଲା ।

Advertisment

ଚାଷୀଙ୍କ ନାଁରେ ଟଙ୍କା ଖାଇବାକୁ ଜାଲ ବିଛାଇଥିଲେ ଦଲାଲ । ୩୧୦୦ ଟଙ୍କା ଉଠାଇବା ପାଇଁ ନୀତିନିୟମକୁ ନ ମାନି ପଞ୍ଜୀକରଣ କରିଥିଲେ । ଆଉ ସାଟେଲାଇଟ୍‌ ଓ ଫିଜିକାଲ ସର୍ଭେ ଧରିଲା ସତ । ରାଜ୍ୟରେ ଏଭଳି ୧ ଲକ୍ଷ ୮୪ ହଜାର ଦଲାଲ ଚାଷୀଙ୍କୁ ଚିହ୍ନଟ କରିଛନ୍ତି ସରକାର । ଏମାନେ ରବିଋତୁରେ ଧାନ ବିକ୍ରି କରି ମାଲାମାଲ ହୋଇଥାନ୍ତେ । ଏମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ରାଜ୍ୟ ସରକାର । ୭ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମିଛ ତଥ୍ୟ ଦେଇଥିବା ଚାଷୀଙ୍କୁ ନେଇ ସମବାୟ ମନ୍ତ୍ରୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଚାଷୀ କେହି ଏମିତି କରିନାହାନ୍ତି । ସବୁ ଦଲାଲ କରିଛନ୍ତି । ବିଜେଡି ସରକାର ସମୟରୁ ସେମାନେ କରି ଆସୁଥିଲେ ଓ ରାଜସ୍ୱ ଲୁଟ୍‌ କରୁଥିଲେ । ଯେଉଁମାନେ ଧରାପଡ଼ିଛନ୍ତି, ସେମାନେ ସବୁ ବିଜେଡି ଦଲାଲ ଓ ସମର୍ଥକ । କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଚାଷୀଙ୍କଠାରୁ ଉତ୍ତର ଆସିବା ପରେ ଅଣ୍ଡରଟେକିଙ୍ଗ ଲେଖିବା ସହ ବର୍ଷକ ପାଇଁ ଧାନ କିଣା ପ୍ରକ୍ରିୟାରୁ ବାଦ ଦିଆଯିବ । ଆଉ ଏହାକୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ଉପନେତା ।

ଧାନ ଚାଷ ନକରି ଜମି ପଞ୍ଜୀକରଣ ହୋଇଗଲା । ପ୍ରଶ୍ନ ଉଠୁଛି, ପ୍ରାଶାସନିକ କଳ କିଭଳି ସେମାନଙ୍କୁ ଜାଣିପାରିଲାନି ? ୧ ଲକ୍ଷ ୮୪ ହଜାର ଚାଷୀ ସରକାରଙ୍କ ଠାରୁ ପୂର୍ବରୁ କି ଲାଭ ଉଠାଇଛନ୍ତି ? ନୋଟିସ୍‌ ଦେଇ ଛାଡ଼ିଦେବେ ନା କାର୍ଯ୍ୟାନୁଷ୍ଠାନ ନେବେ ?