ସିଟି ଅଫ୍ ଜୟ କୁହାଯାଉଥିବା କୋଲକାତାର ହାୱଡ଼ା ବ୍ରିଜ୍ , ଦୂର୍ଗାପୂଜା ଯେତିକି ପ୍ରସିଦ୍ଧ ଏଠାକାର ଖାଇବା ବି ସାରା ଦେଶକୁ ଆଙ୍ଗୁଠି ଚଟାଇବାରେ କୌଣସି କ୍ଷେତ୍ରରେ କମ୍ କରିନି । ପୁଚକାରୁ ଆରମ୍ଭ କରି ମିଷ୍ଟି ସନ୍ଦେଶ , ଭେଲପୁରୀରୁ ଆରମ୍ଭ କରି ଚଟପଟା ଝାଲମୁଢି ସବୁରି ଫାଷ୍ଟଫୁଡ୍ ଖାଇବାର ଦୋକାନ କୋଲକାତାର ଗଳି ଗଳିରେ ଦେଖିବାକୁ ମିଳେ । ଖାଇବା ଓ ଖୁଆଇବା ଯେମିତି କୋଲକାତା ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ହେଲେ ଏବେ କୋଲକାତାର ଝାଲମୁଢି ସୁଦୂର ଲଣ୍ଡନବାସୀଙ୍କ ପାଟିରେ ବାଜିଲାଣି । ବିଦେଶୀ ଖାଇଲେଣି ଭାରତର ଝାଲମୁଢି ।
ଲଣ୍ଡନରେ ଜଣେ ବ୍ୟକ୍ତି କୋଲକାତା ଷ୍ଟାଇଲରେ ଝାଲମୁଢି ବିକିବା ଆରମ୍ଭ କରିଛନ୍ତି । ଆପଣଙ୍କୁ କହିରଖୁଛୁ ବ୍ୟକ୍ତିଜଣକ ଏକ ନାମୀଦାମୀ କମ୍ପାନୀରେ ଚାକିରି କରୁଥିଲେ । କିନ୍ତୁ କୋଲକାତା ଝାଲମୁଢିର ଟେଷ୍ଟ୍ ପାଇବା ପରେ ଏବେ ଚାକିରି ମୋହ ଛାଡ଼ି ଝାଲମୁଢି ବିକିବା ଆରମ୍ଭ କରିଛନ୍ତି । ଆଉ ଲଣ୍ଡନରେ ବଢିଆ ଚାଲିଛି ଝାଲମୁଢି ବ୍ୟବସାୟ । ଯାହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ଏହି ଭିଡ଼ିଓରେ ବିଦେଶୀ ଜଣକ ଭାରତରେ ତିଆରି କଲା ଭଳି ଠେଲାରେ ଝାଲମୁଢି ରଖି ଷ୍ଟିଲ୍ ପାତ୍ରରେ ବିକ୍ରି କରୁଥିବାର ନଜର ଆସୁଛନ୍ତି । ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ କମେଣ୍ଟ୍ ସେକ୍ସନରେ ଭର୍ତ୍ତି ହୋଇଛି ଲୋକଙ୍କ କମେଣ୍ଟ୍ ।