କନକ ବ୍ୟୁରୋ : ରାଜ୍ୟର ସବୁ ଅଞ୍ଚଳକୁ ବିକଶିତ କରିବା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ବିଶେଷକରି ଗ୍ରାମାଞ୍ଚଳର ଯୋଗାଯୋଗକୁ ଗୁରୁତ୍ୱ ଦେଉଛନ୍ତି । ହେଲେ ଏବେ ବି ଏମିତି ହଜାର ହଜାର ଗାଁ ଅଛି, ଯେଉଁ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ । କିନ୍ତୁ ବାବୁ ସରକାରଙ୍କୁ ସେହି ସବୁ ଗାଁର ତଥ୍ୟ ଦେବାକୁ କୁନ୍ଥ କୁନ୍ଥ ହେଉଛନ୍ତି ।
ରାସ୍ତା ନଥିବାରୁ ଗାଁକୁ ପଶି ପାରୁନି ଆମ୍ବୁଲାନ୍ସ । ଖଟରେ ବୁହା ହେଉଛନ୍ତି ଗର୍ଭବତୀ । ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ଇଚ୍ଛାପୁର, କଙ୍କଡାହାଡ଼ ବ୍ଲକର ଝାଞ୍ଜେରିବେରେଣିରେ ମଧ୍ୟ ସମାନ ଅଭିଯୋଗ ଆସିଛି । ଗାଁକୁ ପଶିପାରୁନି ଦମକଳ ଗାଡ଼ି କି ଆମ୍ବୁଲାନ୍ସ । ସେହିପରି ଭଲ ରାସ୍ତା ନ ଥିବାରୁ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ମନିଗାଁର ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏ ସମସ୍ୟାର ସମାଧାନ କାହିଁକି ହେଉନି ପ୍ରଶ୍ନର ଧାଡ଼ିକିଆ ଉତ୍ତର ହେଉଛି ସରକାରୀ ବାବୁ । ଏ କଥା ଆମେ କହୁନୁ, ସରକାରୀ ଚିଠିରୁ ଏହା ସ୍ପଷ୍ଟ ହୋଇଛି । ପ୍ରଥମେ ୦୩. ୦୮ ୨୦୨୪ରେ ପଞ୍ଚାୟତରାଜ ବିଭାଗ ଅଗଷ୍ଟ ୧୨ ତାରିଖ ସୁଦ୍ଧା ରାସ୍ତା ନଥିବା ଗାଁର ତାଲିକା ଦେବାକୁ ଜିଲ୍ଲାପାଳ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାର ୮ ମାସ ପରେ ମଧ୍ୟ ତଥ୍ୟ ନ ଦେବାରୁ ନେଇ ପୁଣି ଥରେ ୨୭. ୦୫.୨୦୨୫ରେ ଚିଠି କରି ତଥ୍ୟ ମାଗିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।
ପ୍ରତ୍ୟେକ ଗାଁ ରାସ୍ତା ତିଆରି ପାଇଁ 'ବିକଶିତ ଗାଁ ବିକଶିତ ଓଡ଼ିଶା'ରେ ସବୁ ଗାଁକୁ ରାସ୍ତା ପାଇଁ ସରକାର ଯୋଜନା କରୁଛନ୍ତି । କିନ୍ତୁ ବାବୁଙ୍କ ମନମାନି ଯୋଗୁ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନି । ଯାହାକୁ ନେଉ ଉଦବେଗ ପ୍ରକାଶ କରିଛନ୍ତି ସମାଜସେବୀ ।
ବିଧାନସଭାର ତଥ୍ୟ ଅନୁସାରେ ୨୦୧୭-୧୮ ସୁଦ୍ଧା ରାଜ୍ୟର ୮ହଜାର ୩୦୦ ଗାଁକୁ ରାସ୍ତା ନାହିଁ । ବିଶେଷ କରି ଉପାନ୍ତ ଅଞ୍ଚଳ କୁହାଯାଉଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏ ସମସ୍ୟା ଉତ୍କଟ ରହିଛି । କୋରାପୁଟ- ୧୩୭୪, ରାୟଗଡ଼ା-୧୦୯୯, ନବରଙ୍ଗପୁର-୬୪୧ ଓ କଲାହାଣ୍ଡିରେ ୫୭୪ ଗାଁକୁ ରାସ୍ତା ନାହିଁ । ହେଲେ ବର୍ତ୍ତମାନ ସମୟରେ କେତେ ଗାଁକୁ ରାସ୍ତା ନାହିଁ ସେ ନେଇ ବାବୁମାନେ କାହିଁକି ତଥ୍ୟ ଦେଉନାହାନ୍ତି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।