କନକ ବ୍ୟୁରୋ: ଶତାବ୍ଦୀର ଅପେକ୍ଷା ପରେ ଗାଁକୁ ପୋଲ ନିର୍ମାଣ କରାଯାଉଛି । ମାତ୍ର ପୋଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମାନଦଣ୍ଡ ସଠିକ୍ ନଥିବା ଅଭିଯୋଗ ଆଣି ତାତିଛନ୍ତି ସ୍ଥାନୀୟ ଜନସାଧାରଣ ।
ଜଗତସିଂହପୁର ଏରସମା ବ୍ଲକ ଅନ୍ତର୍ଗତ ଆମ୍ବିକି ସହ ଜପା ପଞ୍ଚାୟତକୁ ଯୋଡ଼ିବାକୁ ତିଆରି ହେଉଛି ପୋଲ । ୩ବର୍ଷ ତଳେ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଅପେକ୍ଷା ପରେ ପୋଲ ନିର୍ମାଣ ହେଉଥିବା ଦେଖି ସ୍ଥାନୀୟ ଲୋକ ଉତ୍ସାହିତ ଥିଲେ । ଗମନାଗମନ ସୁଗମ ହେବ ବୋଲି ସ୍ୱପ୍ନ ଦେଖୁଥିଲେ । ହେଲେ ପୋଲ ନିର୍ମାଣ ସରୁନି କି ସେ ସ୍ୱପ୍ନ ପୂରଣ ହେଉନି । ବରଂ ପାଇଲିଂ ଏବଂ ପିଲାର୍ ଠିକ୍ ନଥିବା କହି ପୋଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ କରିଛନ୍ତି। ନିର୍ମାଣରେ ବ୍ୟବହୃତ ଗୋଡ଼ି, ବାଲି ଏବଂ ଅନ୍ୟ ସାମଗ୍ରୀର ମାନଦଣ୍ଡ ଠିକ୍ ନଥିବା ଅଭିଯୋଗ କରିଛନ୍ତି ।
୧୦୦ ମିଟର ଲମ୍ବର ପୋଲ ନିର୍ମାଣ ଦାୟିତ୍ବ ନେଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ହେଲେ ଠିକାଦାରଙ୍କ ମନମାନୀ ସାଙ୍ଗକୁ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କରିଛି । ବାରମ୍ବାର ଅଭିଯୋଗ ହେବା ପରେ କାର୍ଯ୍ୟ ବାବଦରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ ।
କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି । ମାତ୍ର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ଲାଭଖୋର ମନୋଭାବ ପାଇଁ ପ୍ରକଳ୍ପ ଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରୁନାହିଁ ।