କନକ ବ୍ୟୁରୋ: ହିନ୍ଦୁ ସମାଜରେ ବାହାଘରକୁ ପବିତ୍ର ବନ୍ଧନ କୁହାଯାଏ । ଥରେ ବିବାହ କଲେ ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ ଅଗ୍ନିଙ୍କ ପାଖରେ ସାକ୍ଷୀ ରଖନ୍ତି ଦମ୍ପତ୍ତି । ସେଇଥି ଲାଗି ବାହାଘର ପରେ ଶାଶୂଘର ହିଁ ଝିଅ ଲାଗି ସବୁକିଛି କୁହାଯାଏ । କିନ୍ତୁ ୟୁପିରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ଜଣେ  କନିଆଁ ୬ ଜଣଙ୍କୁ ବିବାହ କରିବା ପରେ ସପ୍ତମଥର ଲାଗି ବିବାହ କରିବାକୁ ଯାଉଥିବା ବେଳେ ମାଡ଼ି ବସିଛି ପୋଲିସ । ଖାଲି ଏତିକି ନୁହେଁ ବରଂ ପୁରା ଗ୍ୟାଙ୍ଗ ଏହା ପଛରେ ସାମିଲ ଥିବା ନେଇ ପର୍ଦ୍ଦାଫାଶ ବି ହୋଇଛି ।

Advertisment

ବାହାଘର ପିଲାଖେଳ ନୁହେଁ । ହେଲେ ଏହାକୁ ଏବେ ପିଲାଖେଳ କରିଦିଆଯାଇଛି । ୟୁପିର ଗୋଟିଏ ଗ୍ୟାଙ୍ଗ ବାହାଘରକୁ ନେଇ ସାଙ୍ଘାତିକ ଖେଳ ଖେଳିଛି । ପାଖାପାଖି ୭ ଜଣ ଏହି ଗ୍ୟାଙ୍ଗରେ ସାମିଲ ଥିଲେ । ବରପାତ୍ର ଖୋଜିବା ସହିତ ବାହାଘରର ନାଟକ କରୁଥିଲେ । ଆଉ ଗ୍ୟାଙ୍ଗର ସଦସ୍ୟମାନେ କନିଆଁର ପିତା, ମାତା, ଭାଇ ,ଭଉଣୀ ହେବା ସହିତ ପରିବାରର ସଦସ୍ୟର ଅଭିନୟ କରୁଥିଲେ । ଖାଲି ଏତିକି ନୁହେଁ ବରଂ ବାହାଘର ହେବା ପରେ ବରଘରେ କଳାକନା ବୁଲାଇ ଟଙ୍କା ସହ ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ । ପ୍ରଥମେ ପ୍ରଥମେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିପାରୁନଥିଲେ ଠକାମୀର ଶିକାର ହେଉଥିବା ପରିବାର । କିନ୍ତୁ ସହରରେ କ୍ରମାଗତ ଭାବରେ ଏମିତି ହେବା ପରେ ପୋଲିସରେ ମାମଲା ଦାୟର ହୋଇଥିଲା । ଶେଷରେ ଗ୍ୟାଙ୍ଗର ପର୍ଦ୍ଦାଫାଶ ବି ହୋଇଥିଲା ।

ବାହାଘର ପରେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ୟୁପି ବାନ୍ଦାର ଜଣେ ବ୍ୟକ୍ତି ସ୍ଥାନୀୟ ଏସପି ଅଙ୍କୁର ଅଗ୍ରୱାଲଙ୍କୁ ଭେଟି ଅଭିଯୋଗ କରିଥିଲେ । ମାମଲା ଗମ୍ଭୀର ଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା ପୋଲିସ । ଶେଷରେ ସପ୍ତମ ବିବାହ ହେଉଥିବା ବେଳେ ମାଡ଼ି ବସିଥିଲା ପୋଲିସ । ଧରାପଡ଼ିବା ପରେ ପୋଲିସ କହିଛି, ସେମାନେ ବାହାଘରକୁ ନିଜର ବ୍ୟବସାୟ କରିଥିଲେ। ପ୍ରଥମେ ବାହାଘର ପ୍ରସ୍ତାବ ଦେଇ ଠକାମୀ କରିବାକୁ ପ୍ଲାନ କରୁଥିଲେ ପରେ ପରେ ପ୍ଲାନ ଅନୁସାରେ ବର ଘରୁ ସବୁ ଟଙ୍କା ପଇସା ହଡ଼ପ୍‌ କରି ଛୁ ମାରୁଥିଲେ । ପୁରା ଗ୍ୟାଙ୍ଗରେ ୭ ନୁହେଁ ବରଂ ଅଧିକ ଲୋକ ସାମିଲ ଥିବା ପୋଲିସ ସନ୍ଦେହ କରିବା ସହିତ ସହରର ଅନେକ ସ୍ଥାନରେ ଚଢାଉ ଜାରି ରଖାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ବାହାଘର ଠକାମୀର ଶିକାର ହୋଇଥିବା ସମସ୍ତଙ୍କୁ ପୋଲିସ ପଚରାଉଚରା କରିବା ସହିତ କେତେ ଟଙ୍କା ଓ ଅଳଙ୍କାର ସେମାନଙ୍କଠାରୁ ଠକେଇ ହୋଇଛି ସେନେଇ ଯାଂଚ ବି କରିଛି ।

ମୋଟ୍‌ ଉପରେ, ବାହାଘରକୁ ନେଇ ଏମିତି ସାଙ୍ଘାତିକ ଷଡ଼ଯନ୍ତ୍ର ହୋଇଥିବାର କଥା ପୋଲିସ ବି ଟେର୍‌ ପାଇନଥିଲା । କିନ୍ତୁ ପୁରା ଘଟଣାର ପର୍ଦ୍ଦାଫାଶ ହେବା ପରେ ସବୁ ସତ ଜଣାପଡ଼ିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ବି ହୋଇଛି । ଏହାସହ ପୋଲିସ କହିଛି, ବାହାଘର କରିବା ପୂର୍ବରୁ ସଠିକ୍‌ରେ ବୁଝାବୁଝି ନକଲେ ଆପଣ ବି ଠକାମୀର ଶିକାର ହୋଇପାରନ୍ତି ।