କନକ ବ୍ୟୁରୋ:  ବୋହୂ ଚୋରି କରୁଥିବା ଶାଶୂ ଦେଖିଦେବାରୁ ଶାଶୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ବୋହୂ । ଶାଶୂ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ୪ ମାସର ପୁଅକୁ ଧରି ବୋହୂ ବାପଘରକୁ ପଳାଇଛି । ବୋହୂକୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୁଅ ଓ ଗାଁ ଲୋକ ଥାନାର ଦ୍ବାରସ୍ଥ ହୋଇଛନ୍ତି । 

Advertisment

ମାଲକାନଗିରି ଜିଲ୍ଲା ଏମଭି ୧୮ରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ବୋହୂ ଜୟା ବୈଦ୍ୟ ଟଙ୍କା ଚୋରି କରୁଥିବା ଶାଶୂ ରେଣୁକା ବୈଦ୍ୟ ଦେଖିଦେଇଥିଲେ। ଏହାପରେ ବୋହୂକୁ ଧରା ପଡ଼ିଯିବାର ଭୟ ଘାରିଥିଲା । ଶାଶୂ ରେଣୁକା ଶୋଇଥିବା ବେଳେ ତାଙ୍କ ଦେହରେ ବୋହୂ ଜୟା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ବାହାର ପଟୁ କବାଟ କଳି ଜୟା ଜଗିଥିବା ବେଳେ ପରିବାର ଲୋକ ରେଣୁକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।


ରେଣୁକାଙ୍କ ଶରୀରର ୬୫ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି। ତାଙ୍କୁ ପ୍ରଥମେ ବିଶାଖାପଟଣାର ଏକ ମେଡିକାଲକୁ ନିଆଯାଇଥିଲା । ପରେ ଛତିଶଗଡ଼ ରାୟପୁର ସ୍ୱତନ୍ତ୍ର ବର୍ଣ୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋହୂ ଜୟା ନିଜ ଚାରି ମାସର ପୁଅକୁ ନେଇ ବାପଘରକୁ ପଳାଇଛି । ଜୟାଙ୍କ ସ୍ୱାମୀ ଓ ପରିବାର ସହ ଗାଁ ଲୋକ ମାଲକାନଗିରି ମଡେଲ ଥାନାର ଦ୍ୱାରସ୍ଥ ହୋଇ ଅଭିଯୁକ୍ତ ବୋହୂକୁ ଗିରଫ କରି କଠୋର ଦଣ୍ଡ ଦେବା ଲାଗି ଦାବି  କରିଛନ୍ତି । ଶାଶୂକୁ ପୋଡ଼ି ମାରିଦେବାକୁ ବୋହୂ ଉଦ୍ୟମ କରିବା ଘଟଣା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।