କନକବ୍ୟୁରୋ : ଆଜିକା ଦିନରେ ବିଶ୍ବର ଲକ୍ଷ ଲକ୍ଷ ସଂଖ୍ୟାରେ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ । ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସର ଅନୁଯାୟୀ, ପ୍ରତି ୨୦ଜଣ ମହିଳାଙ୍କ ମଧ୍ୟରୁ ଜଣେ ସ୍ତନ କର୍କଟ ରୋଗକୁ ନେଇ ବିପଦରେ । ଅନେକ ଦେଶରେ ଏହା ମହିଳାଙ୍କ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି । ତେବେ ଏସବୁ ମଧ୍ୟରେ ବିଜ୍ଞାନର ଏକ ନୂତନ ଗବେଷଣା ସ୍ତନ କର୍କଟ ସହ ଜୁଝୁଥିବା ରୋଗୀଙ୍କ ମନରେ ଆଶା ସଞ୍ଚାର କରିଛି । ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର କର୍କଟ ଟୀକା ପ୍ରତିଷ୍ଠାନର ମୁଖ୍ୟ ଡକ୍ଟର ନୋରା ଡିସେସ୍ ସ୍ତନ କର୍କଟ ରୋଗକୁ ଦୂର କରିବା ପାଇଁ ଏକ ଟୀକା ବିକଶିତ କରାଯାଉଥିବା କଥା କହିଛନ୍ତି ।
ଏହି ଟିକା ଆଗାମୀ ଦଶନ୍ଧି ମଧ୍ୟରେ ନିୟମିତ ଚିକିତ୍ସାର ଏକ ଅଂଶ ହୋଇପାରେ ବୋଲି ସେ ଆଶ୍ବାସନା ଦେଇଛନ୍ତି । କର୍କଟ କୋଷଗୁଡ଼ିକରେ ଏପରି ନିର୍ଦ୍ଦିଷ୍ଟ ପ୍ରୋଟିନ୍ ଥାଏ ଯାହା ସାଧାରଣ କୋଷରେ ମିଳେ ନାହିଁ । ବୈଜ୍ଞାନିକମାନେ ଟୀକା ତିଆରି କରିବା ପାଇଁ ଏହି ନିର୍ଦ୍ଦିଷ୍ଟ ପ୍ରୋଟିନକୁ ଚିହ୍ନଟ କରିଛନ୍ତି । ଏହି ଟୀକା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସେହି ନିର୍ଦ୍ଦିଷ୍ଟ କର୍କଟ କୋଷଗୁଡ଼ିକୁ ଚିହ୍ନିବା ସହ ଆକ୍ରମଣ କରି ଏଗୁଡ଼ିକୁ ନଷ୍ଟ କରିବ । ଏହି ଉପାୟରେ, ଶରୀର ନିଜେ କର୍କଟ ସହିତ ଲଢ଼ିବାକୁ ସକ୍ଷମ ହେବ ।