କନକ ବ୍ୟୁରୋ: ଜଣେ କଲେଜ ଛାତ୍ରୀ ଲୁଟେରାଙ୍କ ସହ ଲଢ଼ି ଲହୁଲୁହାଣ ହୋଇଥିଲେ ବି ଦୁର୍ବୃତ୍ତଙ୍କ ଲୁଟ୍‌ ଉଦ୍ୟମ ପଣ୍ଡ କରି ଦେଇଛନ୍ତି । ଛାତ୍ରୀଙ୍କ ଏଭଳି ସାହସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଲୁଟେରାଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଛାତ୍ରୀଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Advertisment

ସୂଚନା ଅନୁଯାୟୀ ମାହାଙ୍ଗା ଥାନା ମୂଳବସନ୍ତ ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ଝିଅ ଶୁଭସ୍ମିତା ସାହୁ ଜେ.ଏନ୍‌. କଲେଜରେ ଯୁକ୍ତ ୩ ରେ ପଢ଼ନ୍ତି । ସେ ଆଜି ଦିନ ପ୍ରାୟ ୧୧ଟା ବେଳେ ସାଇକଲ୍‌ରେ କଲେଜକୁ ଯାଉଥିବା ବେଳେ କୁମୁଡ଼ାହାଟ ବିରୂପା ନଦୀବନ୍ଧ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କଠାରୁ ମୋବାଇଲ୍‌ ଓ ମନିପର୍ସ ଥିବା ଭ୍ୟାନିଟି ଛଡ଼ାଇଥିଲେ । ଭ୍ୟାନିଟିର ଏକ ବେଲ୍ଟ ଶୁଭସ୍ମିତା ଅଣ୍ଟାରେ ବାନ୍ଧି ଥିବାରୁ ଛିନ୍‌ତାଇ ବେଳେ ସେ ସାଇକଲ ସହ ତଳେ ପଡ଼ିଯାଇଥିଲେ । ଜଣେ ଦୁର୍ବୃତ୍ତ ଛୁରି ଦେଖାଇ ତାଙ୍କ ଭ୍ୟାନିଟି ଖୋଲିଥିଲା । ଶୁଭସ୍ମିତା ତାଙ୍କୁ ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ତାଙ୍କ ଡାହାଣ ବାହୁକୁ ଛୁରି ମାରି ଭ୍ୟାନିଟି ବ୍ୟାଗ୍‌ ନେବାକୁ ଚେଷ୍ଟା କରିଥିଲା । ତାଙ୍କ ପେଟରେ ମଧ୍ୟ ଛୁରି ଭୁସିବାକୁ ଉଦ୍ୟମ କରିଥିଲା ।

ଶୁଭସ୍ମିତା ଛୁରୀକୁ ଧରି ନେଇ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି କରିବା ସହ ଚିତ୍କାର କରିବାରୁ ନିକଟରେ ଜମିରେ କାମ କରୁଥିବା ଜଣେ ଲୋକ ଧାଇଁ ଆସିଥିଲେ । ଫଳରେ ଦୁଇ ଦୁର୍ବୃତ୍ତ ଚମ୍ପଟ୍‌ ମାରିବାକୁ ଉଦ୍ୟମ କରିଥିଲେ ।  ଗୁରୁତର ଆହତ ସତ୍ତ୍ୱେ ଶୁଭସ୍ମିତା ଜଣେ ଦୁର୍ବୃତ୍ତର ହାତରେ ପିନ୍ଧିଥିବା ଲୁହାବଳାକୁ ଭିଡ଼ି ଧରିଥିଲେ । ତେବେ ଦୁର୍ବୃତ୍ତ ଜଣକ ହାତରୁ ବଳା ଖସାଇ ଦେଇ ସେଠାରୁ ଫେରାର ହୋଇଯାଇଥିଲା ।

ଖବର ପାଇ ପରିବାର ଲୋକ ସେଠାରେ ପହଞ୍ଚି ଗୁରୁତର ଆହତ ଶୁଭସ୍ମିତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଶୁଭସ୍ମିତାଙ୍କ ଡାହାଣ ହାତର ମୁଖ୍ୟ ଶିରା ଓ ଆଙ୍ଗୁଳିଗୁଡ଼ିକ କଟି ବଡ଼ କ୍ଷତ ସୃଷ୍ଟି ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ମାହାଙ୍ଗା ଥାନା ଆଇଆଇସି ତପନ କୁମାର ରାଉତ, ଏସ୍‌ଆଇ କର୍ମା ଲାକ୍ରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଛାତ୍ରୀଙ୍କ ବୟାନ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି ।