Sadguru Photograph: (KanakNews)
କନକ ବ୍ୟୁରୋ : କୁହନ୍ତି ଭକ୍ତି ଯାହା ମୁଣ୍ଡ ଉପରେ ଥରେ ଚଢ଼େ ତାକୁ ଭୟ ସ୍ପର୍ଶ କରିପାରେନାହିଁ । ଭକ୍ତିଭାବର ମାର୍ଗ ହିଁ କିଛି ସେମିତି ଯେ ଭିତରର ଭୟ ସହ ମୁକାବିଲା କରିବା ପାଇଁ ଅପାର ଶକ୍ତି ଦିଏ । ଉଦାହରଣ ଯଦି ଦେଖିବେ ତା’ହେଲେ ପ୍ରେମାନନ୍ଦ ମହାରାଜଙ୍କୁ ହିଁ ଦେଖନ୍ତୁ ଯାହାଙ୍କ ୨ ଟି କିଡନି ଖରାପ ହେବା ସତ୍ତ୍ବେ ମଧ୍ୟ ସେ ଭକ୍ତିମାର୍ଗର ରାସ୍ତାରୁ ବିମୁଖ ହୋଇନାହାନ୍ତି । ତେବେ ଖାଲି ସନ୍ଥ ପ୍ରେମାନନ୍ଦ ନୁହେଁ ଆଧ୍ୟାତ୍ମିକ ସଦଗୁରୁ ଜଗ୍ଗି ବାସୁଦେବ ମଧ୍ୟ ଏହି ତାଲିକାରେ ଆସନ୍ତି । ଯାହାଙ୍କର ନିକଟରେ ହିଁ ବ୍ରେନ୍ ସର୍ଜରୀ ହୋଇଥିଲା । କିନ୍ତୁ ଡାକ୍ତରଙ୍କ ବାରମ୍ବାର ମନା କରିବା ସତ୍ତ୍ବେ ମଧ୍ୟ ସେ କୈଳାସ ମାନସରୋବରରେ ବାଇକ୍ ଯୋଗେ ରାଇଡ୍ କରି ପହଞ୍ଚିଛନ୍ତି । ପ୍ରତିଟି ସର୍ଜରୀ ପରେ ସୁସ୍ଥ ହେବାକୁ ସମୟ ଲାଗିଥାଏ , ଯେଉଁଥିପାଇଁ ଡାକ୍ତର ମଧ୍ୟ ବିଶ୍ରାମ ନେବାକୁ ପରାମର୍ଶ ଦେଇଥା’ନ୍ତି । କିନ୍ତୁ ବ୍ରେନ୍ ସର୍ଜରୀରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ । ୬୭ ବର୍ଷୀୟ ସଦଗୁରୁଙ୍କର ୨୦୨୪ରେ ୨ ଟି ବ୍ରେନ୍ ସର୍ଜରୀ ହୋଇଥିଲା । କିନ୍ତୁ ଏବେ ସେ ବାଇକ୍ ରାଇଡିଂ କରି କୋଏମ୍ବଟୁରରୁ ମାନସରୋବରର କଠିନ ଯାତ୍ରା କରିଛନ୍ତି । ପାଖାପାଖି ୩୦୦୦ କି.ମି ବାଇକ୍ ଚଲାଇ ସଦଗୁରୁ କୈଳାସ ପର୍ବତ ପାଖରେ ପହଞ୍ଚିଛନ୍ତି ।
କିଛି ଦିନ ତଳେ ଅଭିନେତା ଆର୍.ମାଧବନ ଏକ ସାକ୍ଷାତକାରରେ ସଦଗୁରୁଙ୍କୁ ପ୍ରଶ୍ନ କରିଥିଲେ ଯେ ଅଧିକାଂଶ ଲୋକ ଏତେ ବଡ଼ ଅପରେସନ୍ ପରେ ବିଛଣାରୁ ଉଠିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । କିନ୍ତୁ ୨ ଟି ବ୍ରେନ୍ ସର୍ଜରୀ ପରେ ମଧ୍ୟ କୈଳାସ ପର୍ବତ ବାଇକରେ ଯିବାକୁ କେମିତି ଚିନ୍ତା କଲେ ସଦଗୁରୁ ? ବାଇକ ଯାତ୍ରା ପୁଣି ବର୍ଷା ଓ କାଦୁଅ ଭିତରେ .. ଏପରି କରିବାକୁ ସାହାସ କେଉଁଠୁ ମିଳିଲା ? ସଦଗୁରୁ ସେତେବେଳେ ଅଭିନେତାଙ୍କୁ ହସି କରି କହିଥିଲେ ‘ମୁଣ୍ଡ ତ ଭାଙ୍ଗିଯାଇଥିଲା,ତେଣୁ ଭାବିଲି ଶିବଙ୍କ କୋଳରେ ରଖିଦେବି ।’ ତାଙ୍କର ଏହି ନିର୍ଭୀକ ଏବଂ ସକାରାତ୍ମକ ଉତ୍ତରରେ ପ୍ରଭାବିତ ହୋଇ ମାଧବନ କହିଥିଲେ ‘କି ଚମତ୍କାର ଚିନ୍ତାଧାରା’।
ସଦଗୁରୁ ପୂର୍ବରୁ କହିଛନ୍ତି ଯେ ସେ ଅନେକ ବର୍ଷ ହେଲା କୈଳାସ ଯାଉଛନ୍ତି କିନ୍ତୁ ନିକଟରେ କଟକଣା ହେତୁ ସେ କେବଳ ମାନସରୋବର ହ୍ରଦ ଆଡ଼କୁ ହିଁ ଯାଇପାରୁଛନ୍ତି । ପୂର୍ବରୁ ଜଙ୍ଘରେ ମାଂସପେଶୀ ଦୁର୍ବଳ ହେବା ସତ୍ତ୍ବେ ମଧ୍ୟ ସେ କୈଳାସ ଯାଇ ଯୋଗ କରି ଆସିଥିଲେ । ଏଥିରୁ ଜଣାପଡୁଛି ସାଧୁସନ୍ଥଙ୍କ ଦୃଢ଼ ଇଚ୍ଛାଶକ୍ତିର ଶକ୍ତି କେତେ । ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମହାଶିବରାତ୍ରୀ ଅବସରରେ ବେଶ୍ ଚର୍ଚ୍ଚା ସାଉଁଟିଥା’ନ୍ତି । ପବିତ୍ର ମହାଶିବରାତ୍ରୀରେ ଦେବାଧିଦେବ ମହାଦେବଙ୍କ ଦର୍ଶନ ପାଇଁ ଈଶା ଫାଉଣ୍ଡେସନକୁ ଅନେକ ଭକ୍ତଙ୍କ ଆଗମନ ହୁଏ । ସେତେବେଳେ ସଦଗୁରୁ ଭକ୍ତିରସରେ ନିମଗ୍ନ ହୋଇ ନୃତ୍ୟ ମଧ୍ୟ କରିଥା’ନ୍ତି ।
Follow Us