କନକ ବ୍ୟୁରୋ : କୁହନ୍ତି ଭକ୍ତି ଯାହା ମୁଣ୍ଡ ଉପରେ ଥରେ ଚଢ଼େ ତାକୁ ଭୟ ସ୍ପର୍ଶ କରିପାରେନାହିଁ । ଭକ୍ତିଭାବର ମାର୍ଗ ହିଁ କିଛି ସେମିତି ଯେ ଭିତରର ଭୟ ସହ ମୁକାବିଲା କରିବା ପାଇଁ ଅପାର ଶକ୍ତି ଦିଏ । ଉଦାହରଣ ଯଦି ଦେଖିବେ ତା’ହେଲେ ପ୍ରେମାନନ୍ଦ ମହାରାଜଙ୍କୁ ହିଁ ଦେଖନ୍ତୁ ଯାହାଙ୍କ ୨ ଟି କିଡନି ଖରାପ ହେବା ସତ୍ତ୍ବେ ମଧ୍ୟ ସେ ଭକ୍ତିମାର୍ଗର ରାସ୍ତାରୁ ବିମୁଖ ହୋଇନାହାନ୍ତି । ତେବେ ଖାଲି ସନ୍ଥ ପ୍ରେମାନନ୍ଦ ନୁହେଁ ଆଧ୍ୟାତ୍ମିକ ସଦଗୁରୁ ଜଗ୍ଗି ବାସୁଦେବ ମଧ୍ୟ ଏହି ତାଲିକାରେ ଆସନ୍ତି । ଯାହାଙ୍କର ନିକଟରେ ହିଁ ବ୍ରେନ୍ ସର୍ଜରୀ ହୋଇଥିଲା । କିନ୍ତୁ ଡାକ୍ତରଙ୍କ ବାରମ୍ବାର ମନା କରିବା ସତ୍ତ୍ବେ ମଧ୍ୟ ସେ  କୈଳାସ ମାନସରୋବରରେ ବାଇକ୍ ଯୋଗେ ରାଇଡ୍ କରି ପହଞ୍ଚିଛନ୍ତି । ପ୍ରତିଟି ସର୍ଜରୀ ପରେ ସୁସ୍ଥ ହେବାକୁ ସମୟ ଲାଗିଥାଏ , ଯେଉଁଥିପାଇଁ ଡାକ୍ତର ମଧ୍ୟ ବିଶ୍ରାମ ନେବାକୁ ପରାମର୍ଶ ଦେଇଥା’ନ୍ତି । କିନ୍ତୁ ବ୍ରେନ୍ ସର୍ଜରୀରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ । ୬୭ ବର୍ଷୀୟ ସଦଗୁରୁଙ୍କର ୨୦୨୪ରେ ୨ ଟି ବ୍ରେନ୍ ସର୍ଜରୀ ହୋଇଥିଲା । କିନ୍ତୁ ଏବେ ସେ ବାଇକ୍ ରାଇଡିଂ କରି କୋଏମ୍ବଟୁରରୁ ମାନସରୋବରର କଠିନ ଯାତ୍ରା କରିଛନ୍ତି । ପାଖାପାଖି ୩୦୦୦ କି.ମି ବାଇକ୍ ଚଲାଇ ସଦଗୁରୁ କୈଳାସ ପର୍ବତ ପାଖରେ ପହଞ୍ଚିଛନ୍ତି । 

Advertisment
sadhguru
sadhguru Photograph: (google)

କିଛି ଦିନ ତଳେ ଅଭିନେତା ଆର୍.ମାଧବନ ଏକ ସାକ୍ଷାତକାରରେ ସଦଗୁରୁଙ୍କୁ ପ୍ରଶ୍ନ କରିଥିଲେ ଯେ ଅଧିକାଂଶ ଲୋକ ଏତେ ବଡ଼ ଅପରେସନ୍ ପରେ ବିଛଣାରୁ ଉଠିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । କିନ୍ତୁ ୨ ଟି ବ୍ରେନ୍ ସର୍ଜରୀ ପରେ ମଧ୍ୟ କୈଳାସ ପର୍ବତ ବାଇକରେ ଯିବାକୁ କେମିତି ଚିନ୍ତା କଲେ ସଦଗୁରୁ ? ବାଇକ ଯାତ୍ରା ପୁଣି ବର୍ଷା ଓ କାଦୁଅ ଭିତରେ .. ଏପରି କରିବାକୁ ସାହାସ କେଉଁଠୁ ମିଳିଲା ? ସଦଗୁରୁ ସେତେବେଳେ ଅଭିନେତାଙ୍କୁ ହସି କରି କହିଥିଲେ ‘ମୁଣ୍ଡ ତ ଭାଙ୍ଗିଯାଇଥିଲା,ତେଣୁ ଭାବିଲି ଶିବଙ୍କ କୋଳରେ ରଖିଦେବି ।’ ତାଙ୍କର ଏହି ନିର୍ଭୀକ ଏବଂ ସକାରାତ୍ମକ ଉତ୍ତରରେ ପ୍ରଭାବିତ ହୋଇ ମାଧବନ କହିଥିଲେ ‘କି ଚମତ୍କାର ଚିନ୍ତାଧାରା’। 

guru
guru Photograph: (Google)

ସଦଗୁରୁ ପୂର୍ବରୁ କହିଛନ୍ତି ଯେ ସେ ଅନେକ ବର୍ଷ ହେଲା କୈଳାସ ଯାଉଛନ୍ତି କିନ୍ତୁ ନିକଟରେ କଟକଣା ହେତୁ ସେ କେବଳ ମାନସରୋବର ହ୍ରଦ ଆଡ଼କୁ ହିଁ ଯାଇପାରୁଛନ୍ତି । ପୂର୍ବରୁ ଜଙ୍ଘରେ ମାଂସପେଶୀ ଦୁର୍ବଳ ହେବା ସତ୍ତ୍ବେ ମଧ୍ୟ ସେ କୈଳାସ ଯାଇ ଯୋଗ କରି ଆସିଥିଲେ । ଏଥିରୁ ଜଣାପଡୁଛି ସାଧୁସନ୍ଥଙ୍କ ଦୃଢ଼ ଇଚ୍ଛାଶକ୍ତିର ଶକ୍ତି କେତେ । ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମହାଶିବରାତ୍ରୀ ଅବସରରେ ବେଶ୍ ଚର୍ଚ୍ଚା ସାଉଁଟିଥା’ନ୍ତି । ପବିତ୍ର ମହାଶିବରାତ୍ରୀରେ ଦେବାଧିଦେବ ମହାଦେବଙ୍କ ଦର୍ଶନ ପାଇଁ ଈଶା ଫାଉଣ୍ଡେସନକୁ ଅନେକ ଭକ୍ତଙ୍କ ଆଗମନ ହୁଏ । ସେତେବେଳେ ସଦଗୁରୁ ଭକ୍ତିରସରେ ନିମଗ୍ନ ହୋଇ ନୃତ୍ୟ ମଧ୍ୟ କରିଥା’ନ୍ତି ।