କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଭଙ୍ଗା ହେଉନି ଅସୁରକ୍ଷିତ କୋଠା । ଫଳରେ ଏମକେସିଜି ପରିସରରେ ନୂତନ ବିଲଡିଂ ନିର୍ମାଣ ହୋଇପାରୁନି । ବାରମ୍ବାର ଦାବି ପରେ ବି ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । 

Advertisment

ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଅସୁରକ୍ଷିତ ଘୋଷଣା ହେବାକୁ ୧୦ ବର୍ଷ ବିତିଗଲାଣି ହେଲେ ପୁରୁଣା କୋଠା ଭାଙ୍ଗିବାକୁ ହାତ ଯାଉନି । ୫୦ ବର୍ଷର ପୁରୁଣା କୋଠା ଦର୍ଶାଇ ବିଜେଡି ସରକାର ଅମଳରେ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ହେଲେ ଏବେ କାହା ହାତ ବନ୍ଧା ଯାଇଛି ବୋଲି ଉଠିଛି ପ୍ରଶ୍ନ ।

ରୋଗୀ ସଂଖ୍ୟାକୁ ନଜର ରଖି ନୂଆ କୋଠା ନିର୍ମାଣ ହେବାକୁ ପ୍ରସ୍ତାବ ଦିଆଗଲା। ସରକାର ଅନୁମୋଦନ ବି କଲେ । ଏଥିପାଇଁ ୧୦୩୩ କୋଟିର ଅନୁଦାନ ଯୋଗାଇଦେଇଥିବା କହୁଛନ୍ତି ସରକାର। ଏବେ ପୁରୁଣା କୋଠାକୁ ଭାଙ୍ଗିବାକୁ ହେଲେ ଶହେ କୋଟିରୁ ଅଧିକ ଦରକାର। ପୂର୍ବରୁ ଟେଣ୍ଡର ବାତିଲ ହୋଇଥିଲା ବେଳେ ଏବେ ପୁଣି ବ୍ୟୟ ବରାଦ କରି ଦିଆଯାଇଛି ।  ପ୍ରସ୍ତାବ ଅନୁସାରେ ଏ କୋଠା ଭାଙ୍ଗିଲେ ୯ ମହଲା କୋଠା ହୋଇ ଯନ୍ତ୍ରପାତି ସହ ବିଭିନ୍ନ ୱାର୍ଡ ଖୋଲିବ । କିନ୍ତୁ ତାହା ହୋଇପାରୁନି । 

ଏବେ ଏହି ଅସୁରକ୍ଷିତ କୋଠା ନିକଟରେ ରୋଗୀ ସମ୍ପର୍କୀୟ ଚଳ ପ୍ରଚଳ କରୁଛନ୍ତି । ଡାକ୍ତରଖାନା ଷ୍ଟାଫମାନଙ୍କର ବାଇକ ବି ପାର୍କିଂ ହେଉଛି। କେତେବେଳେ କଣ ହୋଇଯିବ କହିହେଉନି।