କନକ ବ୍ୟୁରୋ: ସୁନ୍ଦରଗଡ ଲୁଲୁକିଡିହି ଜଙ୍ଗଲରୁ ମିଳିଛି ନାବାଳିକାଙ୍କ ମୃତଦେହ ।  ପରିବାର ଲୋକ ମୃତ୍ୟୁ ପଛରେ ହତ୍ୟା ଅଭିଯୋଗ ଆଣିଛନ୍ତି । କୁହାଯାଉଛି, ପ୍ରେମିକଠୁ ଧୋକା ପାଇବା ପରେ ନାବାଳିକା ଆତ୍ମହତ୍ୟା କରିଥାଇପାରନ୍ତି  । ଘଟଣାରେ ଛତିଶଗଡ ପ୍ରେମିକଙ୍କ ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

Advertisment

୩ ଦିନ ହେବ ମିଳୁନଥିଲା ଖୋଜଖବର, ଏଣେ ତେଣେ ଖୋଜିବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକ। ଶେଷରେ ଘଂଚ ଜଙ୍ଗଲ ଭିତରୁ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି ନାବାଳିକାଙ୍କ ମୃତଦେହ। ସୁନ୍ଦରଗଡ଼ ତଳସରା ଲୁଲୁକିଡିହି ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତହେହ ଠାବ କରାଯାଇଛି। ମାମଲା ଉପରୁ ପରଦା ଉଠାଇବାକୁ ଘଟଣା ସ୍ଥଳରେ ପହଁଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍। ପରିବାର ଲୋକ ଝିଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଛତିଶଗଡ଼ର ପ୍ରେମିକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଉଭୟଙ୍କ ନିକଟରୁ ମୃତ ନାବାଳିକାଙ୍କ ମୋବାଇଲ ଠାବ କରାଯାଇଛି, ଆଗକୁ ପୂରା ଘଟଣା ଉପରୁ ପରଦା ଉଠିବ। ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହେବ ବୋଲି କହିଛି ପୁଲିସ୍ ।

ଅଭିଯୋଗ ମୁତାବକ, ନାବାଳିକା ଜଣକ ଶୁକ୍ରବାର ଛେଳି ଚରାଇବା ଆଳରେ ଗାଁର ଜଣେ ଯୁବକଙ୍କ ସହ ନିଜ ପ୍ରେମିକକୁ ଦେଖା କରିବାକୁ ଜଙ୍ଗଲକୁ ଯାଇଥିଲା। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଘଟଣା ପରଠୁ ନାବାଳିକା ଜଣକ ନିଖୋଜ ରହିଥିଲେ। ସେପଟେ ଘଟଣାକୁ ଆଇନଶୃଙ୍ଖଳା ପରିସ୍ଥିତି ସହ ଯୋଡ଼ି ସରକାରଙ୍କୁ ଘେରିଛି କଂଗ୍ରେସ । 

ଏବେ ପ୍ରଶ୍ନ ଉଠୁଛି, ଜଙ୍ଗଲରେ କାହିଁକି ପ୍ରେମୀଯୁଗଳଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା? ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ କରାଯାଇଛି ହତ୍ୟା? ଘଟଣାରେ ପ୍ରେମିକ ସହ କେବଳ ଗାଁର ଯୁବକ ନା ଅନ୍ୟ କାହାର ବି ରହିଛି ସମ୍ପୃକ୍ତି? ତମାମ ଦିଗଗୁଡ଼ିକ ଉପରେ ତଦନ୍ତ କରୁଥିବା ବେଳେ ଖୁବ୍ ଶୀଘ୍ର ଏହା ଉପରୁ ପରଦା ଉଠିପାରେ ବୋଲି ଆଶା କରାଯାଉଛି।