କନକ ବ୍ୟୁରୋ: କଟକର ଗଣଦୁଷ୍କର୍ମ ଘଟଣା ପୂରା ରାଜ୍ୟକୁ ସ୍ତବ୍ଧ କରି ଦେଇଛି। କାଫେରେ ଜନ୍ମଦିନ ପାଳିବାକୁ ଡାକି ବାନ୍ଧବୀଙ୍କୁ ଦୁଷ୍କର୍ମ କରିଛି ପୁରୁଷ ବନ୍ଧୁ। କେବଳ ଦୁଷ୍କର୍ମ କରିନି ବରଂ ଏ ଛାତିଥରା ଘଟଣାକୁ କାଫେ ମାଲିକ ଜରିଆରେ ମୋବାଇଲରେ କଏଦ କରିଛି। ପରବର୍ତ୍ତୀ ସମୟରେ ସେହି ଭିଡ଼ିଓର ଭୟ ଦେଖାଇ ବୟଫ୍ରେଣ୍ଡର ସାଙ୍ଗ ଓ କାଫେ ମାଲିକ ଯୁବତୀଙ୍କୁ ବାରମ୍ବାର କରିଛନ୍ତି ଗଣଦୁଷ୍କର୍ମ। ଯେଉଁ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି।
- ଭାଇଚାରାର ସହରରେ ଭୟଙ୍କର କାହାଣୀ
- ବିଶ୍ବାସରେ ବିଷ ଦେଲା ବୟଫ୍ରେଣ୍ଡ
- ସାଙ୍ଗଙ୍କ ସହ ମିଶି ବାନ୍ଧବୀଙ୍କୁ କଲା ଗଣଦୁଷ୍କର୍ମ
କଟକର ଏ କାଳ କାହାଣୀ କିଛି ଏମିତି ଥିଲା। କଲେଜ ପଢୁଆ ପୁରୁଷ ବନ୍ଧୁ ଆଶୁଙ୍କୁ ବିଶ୍ବାସ କରି ଯୁକ୍ତ ୩ରେ ପଢୁଥିବା ଛାତ୍ରୀ ଜନ୍ମଦିନ ପାଳିବାକୁ ପୁରୀଘାଟ ଅଞ୍ଚଳରେ ଥିବା ୱାନ୍ ଚୟସ କାଫେ ଆସିଥିଲେ। କିନ୍ତୁ ଏହି କାଫେ ଯେ, ତାଙ୍କ ଜୀବନର କଳାକାହାଣୀ ଲେଖିଦେବ ତାହା ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ଗୋଟିଏ ପଟେ କଟକରେ ମାଙ୍କୁ ଦିଆଯାଉଥିଲା ମେଲାଣି, ଚାରିଆଡେ ଥିଲା କୋଳାହଳ। ଆଉ ଅନ୍ୟପଟେ କାଫେ ଭିତରେ ଇଜ୍ଜତ ବଞ୍ଚାଇବାକୁ ଛାତ୍ରୀ କରୁଥିଲେ ଆର୍ତ୍ତ ଚିତ୍କାର। କାରଣ ପିଶାଚ ସାଜିଥିଲା ପୁରୁଷ ବନ୍ଧୁ। ଜୋର ଜବରଦସ୍ତି ବାନ୍ଧବୀଙ୍କୁ ଦୁଷ୍କର୍ମ କରିବା ସହ ନଗ୍ନ ଭିଡ଼ିଓକୁ ରେକର୍ଡ କରିଥିଲା। ପରେ କାଫେ ମାଲିକ ରେକର୍ଡ ଭିଡ଼ିଓ ଦେଖାଇ ଆଶୁଙ୍କ ସାମ୍ନାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଆଶୁ ବିରୋଧ ତ କରିନଥିଲେ ବରଂ ଯୁବତୀଙ୍କୁ ମୁହଁ ନ ଖୋଲିବାକୁ ଚେତାବନୀ ଦେଇଥିଲେ। କାରଣ ଆଶୁଙ୍କ ବନ୍ଧୁ ଥିଲେ କାଫେ ମାଲିକ।
ଏତିକିରେ ଆଶୁର ଆସୁରିକ ପ୍ରବୃତ୍ତି ଶାନ୍ତ ହୋଇନଥିଲା, ଦେହର ଭୋକ ମେଣ୍ଟିନଥିଲା। ପୁଣିଥରେ ଭିଡ଼ିଓ ଭାଇରାଲ କରିଦେବାର ଧମକ ଦେଇ ବାନ୍ଧବୀଙ୍କୁ ବାରଙ୍ଗ ଅଞ୍ଚଳକୁ ଡାକିଥିଲେ ଆଶୁ। ସମ୍ପର୍କୀୟଙ୍କ ଘରେ ସାଙ୍ଗ ମାନଙ୍କୁ ଡାକି ପୁଣି ସେହି ରାକ୍ଷସ ରୂପ ଦେଖାଇଥିଲା। ସାଙ୍ଗ ମାନଙ୍କ ସହ ମିଶି ବାନ୍ଧବୀଙ୍କୁ କରିଥିଲା ଗଣଦୁଷ୍କର୍ମ।
ବାରମ୍ବାର ଗଣଦୁଷ୍କର୍ମର ଶିକାର ହେବା ପରେ ଶେଷରେ ସାହସ ଜୁଟାଇ ବାଦାମବାଡି ଥାନାରେ ପହଞ୍ଚିଥିଲେ ପୀଡିତା। କିନ୍ତୁ ନିଜ ଥାନା ଅଞ୍ଚଳ ଭିତରେ ଏ ଘଟଣା ହୋଇନଥିବାରୁ ପୀଡ଼ିତାଙ୍କୁ ଫେରାଇ ଦେଇଥିଲା ପୋଲିସ। ପ୍ରଶ୍ନ ଉଠୁଛି, ଏଭଳି ସମ୍ବେଦନଶୀଳ ଘଟଣାକୁ ପୋଲିସ ହାଲୁକାରେ ନେଲା କେମିତି? ମହିଳା ସୁରକ୍ଷାର ଡିଣ୍ଡିମ ପିଟାଯାଉଥିବା ବେଳେ ଦୁଷ୍କର୍ମ ପୀଡିତା କାହିଁକି ଥାନାରୁ ଥାନା ବୁଲିଲେ?
ଗଣମାଧ୍ୟମରେ ଏ ଖବର ପ୍ରସାରିତ ହେବା ପରେ ପୋଲିସ ତତ୍ପରତା ଦେଖାଇବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି।