କନକ ବ୍ୟୁରୋ: ସରକାରରେ ଥିବା ବେଳେ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମାକୁ ପ୍ରଶ୍ନ କରୁଥିଲା ବିଜେଡି। ଏବେ ବିରୋଧୀ ଆସନରେ ବସିବା ପରେ ଗୃହରେ ବିଜେଡିର ଆଚରଣ ବଦଳିଯାଇଛି। ବିଧାୟକଙ୍କ ପାଇଁ ସରକାରୀ ପ୍ରଶିକ୍ଷଣ କାର୍ୟ୍ୟକ୍ରମକୁ ଗଲେନି, ହେଲେ ଏବେ ବିଜେଡି ନିଜେ ପ୍ରଶିକ୍ଷଣ ଶିବିର ଚଳାଇଛି।

ବିଧାନସଭା ଦ୍ବାରା ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗଲେନି, କିନ୍ତୁ ନିଜ ବିଧାୟକଙ୍କ ପାଇଁ ବିଜେଡି ଅଫିସରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନୂଆ ବିଧାୟକଙ୍କୁ  ବିରୋଧୀ ଦଳର ଦାୟିତ୍ବ, ସଂସଦୀୟ ପରମ୍ପରା, ଗୃହର ନୀତି ନିୟମ ଉପରେ ମନ୍ତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ। ବଡ଼କଥା ହେଉଛି ବିରୋଧୀ ଦଳ ନେତା ହୋଇ ନିଜେ ନବୀନ ଗୃହକୁ ଯାଉନାହାନ୍ତି। ଯାହାକୁ ନେଇ ତମ୍ବିତୋଫାନ ହେଉଛି । ଏହି ସମୟରେ ବିଜେଡି ବିଧାୟକଙ୍କୁ ଗଣତନ୍ତ୍ର ବିଷୟରେ ପାଠ ପଢାଉଛନ୍ତି। ସରକାରୀ କାର୍ୟ୍ୟକ୍ରମକୁ ବୟକଟ୍ କରି ଦଳୀୟ ବିଧାୟକଙ୍କୁ ଟ୍ରେନିଂ ଦେବା ବିଜେଡିର ଦୋମୁହାଁ ଚରିତ୍ରକୁ ଦର୍ଶାଉଥିବା କୁହାଯାଉଛି।

କି ସନ୍ଦେଶ ଦେବାକୁ ଚାହୁଁଛି ବିଜେଡି? 
ସରକାରୀ କାର୍ୟ୍ୟକ୍ରମ ବୟକଟ୍ ପଛରେ କି ରଣନୀତି?
ଅଧିବେଶନ ଆରମ୍ଭରୁ ବିଧାନସଭା ଠପ ହୋଇଯାଇଛି । ବିଜେଡିର ନୂଆ ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରୁଛନ୍ତି । ଗୃହ ବାରମ୍ୱାର ଅଚଳ ହେଉଥିବାରୁ ମୁଲତବୀ ପ୍ରସ୍ତାବ, ଦୃଷ୍ଟିଆକର୍ଷଣକାରୀ ପ୍ରସ୍ତାବ, ଶୂନ୍ୟକାଳ ବାବଦରେ ନୂଆ ବିଧାୟକ ଏଯାଏଁ ଜାଣିପାରୁନାହାନ୍ତି । ଏହା ବିଜେଡିର ବିରୋଧୀ ଦଳର ଭୂମିକା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ଗୋଟିଏ ପଟେ ବିଧାନସଭାରେ ବିଜେଡିର ଆଚରଣ, ଅନ୍ୟପଟେ ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ ଏହାକୁ ପ୍ରସଙ୍ଗ କରି ଏବେ ବିରୋଧୀ ଦଳକୁ ଘୋରିବା ଆରମ୍ଭ କରିଛି ବିଜେପି।