କନକ ବ୍ୟୁରୋ: ହେଡିଂଲେ ଟେଷ୍ଟ୍କୁ ହାରିବା ପରେ ଏଜ୍ବାଷ୍ଟନ୍ରେ ଜବରଦସ୍ତ ବିଜୟ ହାସଲ କରି ଇଂଲଣ୍ଡର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ଶୁବମନ୍ ଗିଲ୍ଙ୍କ ଯୁବ ଭାରତୀୟ କ୍ରିକେଟ୍ ବାହିନୀ । ଐତିହାସିକ ଲର୍ଡସ ଷ୍ଟାଡିୟମ୍ରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଏହି ରେକର୍ଡଭରା ତଥା ସଫଳ ଲେଉଟାଣି ଘରୋଇ ଇଂଲଣ୍ଡକୁ ତା’ର ରଣନୀତି ବଦଳାଇବାକୁ ବାଧ୍ୟ କରିଛି । ଅନେକ ସମୟରେ ଭାରତୀୟ ଉପମହାଦେଶୀୟ ଦଳଗୁଡ଼ିକ ବିରୋଧରେ ନିଜ ଆବଶ୍ୟକ ମୁତାବକ ପିଚ୍ ତିଆରି କରୁଥିବା ଅଭିଯୋଗ ଆଣୁଥିବା ଇଂଲଣ୍ଡ ଏବେ ଲର୍ଡସରେ ନିଜ ମନ ମତାଣିଆ ପିଚ୍ ପ୍ରସ୍ତୁତ କରିବାକୁ ଯୋଜନା କରିଛି । ସେଥିପାଇଁ ଏହି ମ୍ୟାଚ୍ ଆରମ୍ଭ ହେବାର ତିନି ଦିନ ପୂର୍ବରୁ ଲର୍ଡସ ପିଚ୍କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।
‘ବାଜ୍ବଲ୍’ ଶୈଳୀରେ ଟେଷ୍ଟ୍ ମ୍ୟାଚ୍ ଖେଳୁଥିବା ଇଂଲଣ୍ଡ ସହଜ ବ୍ୟାଟିଂ ପାଇଁ ବର୍ମିଂହାମର ଏଜ୍ବାଷ୍ଟନ୍ରେ ଏକବାର ସମତଳ ପିଚ୍ କରିଥିଲା । ହେଲେ ଏହା ତା’ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ଭାରତୀୟ ଖେଳାଳିମାନେ ଏହି ପିଚ୍ର ପୂରା ଫାଇଦା ଉଠାଇ ଇଂଲଣ୍ଡକୁ ତାରି ଜାଲରେ ଫସାଇ ଦେଇଥିଲେ। ଉଭୟ ପାଳିକୁ ମିଶାଇ ଭାରତୀୟ ବ୍ୟାଟର୍ମାନେ ପ୍ରଥମ ଥର ଏକ ଟେଷ୍ଟ୍ରେ ୧,୦୦୦ରୁ ଅଧିକ ରନ୍ କରିଥିଲେ । ଇଂଲଣ୍ଡକୁ ୬୦୮ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲେ । ଇଂଲଣ୍ଡ ଏହି ଅପ୍ରତ୍ୟାଶିତ ଚାପ ସହି ନପାରି ମାତ୍ର ୨୭୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଭାରତର ଯୋଜନାବଦ୍ଧ ଖେଳ ଏବଂ ସଠିକ୍ ରଣନୀତି ଆଗରେ ‘ବାଜ୍ବଲ୍’ ବିଫଳ ହୋଇଥିଲା ।
ସୂଚନା ଅନୁସାରେ ଭାରତ ବିପକ୍ଷ ତୃତୀୟ ଟେଷ୍ଟ୍ ପାଇଁ ଲର୍ଡସରେ ଅତିରିକ୍ତ ଉଚ୍ଛାଳ ଓ ବାଉନ୍ସ, ଅତିରିକ୍ତ ଗତି ଏବଂ ସିମ୍ ମୁଭମେଣ୍ଟ୍ ଥିବା ଏକ ଜୀବନ୍ତ ପିଚ୍ ପ୍ରସ୍ତୁତ କରିବାକୁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଲର୍ଡସ କ୍ୟୁରେଟର୍ଙ୍କୁ ନିର୍ଦ୍ଦେଶ ଦେଇଛି । ଆଘାତ ଜନିତ ସମସ୍ୟାରୁ ମୁକୁଳି ଇଂଲଣ୍ଡର ଦୁଇ ଦକ୍ଷ ଖେଳାଳି ଜୋଫ୍ରା ଆର୍ଚର ଏବଂ ଗସ୍ ଆଟ୍କିନ୍ସନ୍ ଲର୍ଡସରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଏମାନଙ୍କୁ ସୁହାଇଲା ଭଳି ପିଚ୍ ତିଆରି କରିବାକୁ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ ମଧ୍ୟ ଚାହୁଛନ୍ତି । ଏକଥା ମ୍ୟାକଲମ୍ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି । ଏକ ସାକ୍ଷାତକାରରେ କହିଛନ୍ତି, ଆମେ ଏମିତି ଏକ ପିଚ୍ ଚାହୁଛୁ, ଯେଉଁଥିରେ ଟିକିଏ ଅଧିକ ପେସ୍, ବାଉନ୍ସ ଏବଂ ସିମ୍ ମୁଭମେଣ୍ଟ୍ ଥିବ। ଏହା କହି ଗତ ମାସ ଲର୍ଡସରେ ଖେଳାଯାଇଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ରେ ଯେଉଁଭଳି ପିଚ୍ ଉପଯୋଗ କରାଯାଇଥିଲା ଠିକ୍ ସେହିଭଳି ଏକ ପିଚ୍ ଚାହୁଥିବା ମ୍ୟାକଲମ୍ ସଙ୍କେତ ଦେଇଛନ୍ତି । ନିଜ ଅଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ ସେ ଆହୁରି କହିଛନ୍ତି ଯେ ମୁଁ ଭାବୁଛି ଲର୍ଡସ ଲଢ଼େଇ ବେଶ୍ ମଜାଦାର ହେବ। ବିଶେଷ କରି ଏଠାରେ ଆମକୁ ଯଦି ଏକ ଜୀବନ୍ତ ପିଚ୍ ମିଳିବ ।