କନକ ବ୍ୟୁରୋ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ତାତି । ଲଗାତାର ଦୁଇ ଦିନ ଧରି ବୌଦ୍ଧ ସହର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଗତକାଲି ଦେଶର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଶନିବାର ବୌଦ୍ଧ ସହର ୪୨.୫ ଡିଗ୍ରୀ ତାପମାତ୍ରା ସହ ଦେଶର ସବୁଠୁ ତତଲା ସହର ପାଲଟିଥିଲା । ଅର୍ଥାତ ୨୪ ଘଣ୍ଟା ଭିତରେ ସହରର ତାପମାତ୍ରା ୧.୧ ଡିଗ୍ରୀ ବୃଦ୍ଧି ପାଇଛି । କେବଳ ବୌଦ୍ଧ ନୁହେଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ଚଳିତ ବର୍ଷର ଶୀର୍ଷ ସ୍ଥାନରେ ପହଞ୍ଚିଛି ।
ଶନିବାର ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ସମ୍ୱଲପୁର ହୋଇଥିବା ବେଳେ ରବିବାର ଝାରସୁଗୁଡା ପାଲଟିଥିଲା ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ଗତକାଲି ଝାରସୁଗୁଡାରେ ୪୨ ଡିଗ୍ରୀ, ବଲାଙ୍ଗୀରରେ ୪୧.୭, ଅନୁଗୁଳରେ ୪୧.୧, ଟିଟିଲାଗଡ଼ରେ ୪୦.୫, ସୁନ୍ଦରଗଡ଼ରେ ୪୦.୩, ଭବାନୀପାଟଣାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ରାଜ୍ୟର ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ଝାରସୁଗୁଡା, ସମ୍ୱଲପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୪ ଜିଲ୍ଲା ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।