କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲାର ହରଭଙ୍ଗା ଥାନା ଅନ୍ତର୍ଗତ ପାଇଦାଭୂଇଁ ନାଳ ନିକଟରେ ମାସେ ପୂର୍ବରୁ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ମାମଲା ଏବେ ନୂଆ ମୋଡ଼ ନେଇଛି । ଘଟଣାସ୍ଥଳର ପ୍ରତ୍ୟେକ ପ୍ରମାଣ ଏକ ଅଜଣା ସତକୁ ଇଙ୍ଗିତ କରୁଛି । କିନ୍ତୁ ତଦନ୍ତର ଅଭାବ ସବୁ କିଛିକୁ ଧୂସର କରିଦେଇଛି ।

Advertisment

ପ୍ରେମକୁ ସ୍ୱୀକୃତି ନମିଳିବାରୁ ଘରୁ ବାହାରି ଯାଆନ୍ତି ବୌଦ୍ଧ ହରଭଙ୍ଗା ବ୍ଲକ ଛତରଙ୍ଗ ଗାଁର ଅମୂଲ୍ୟ ବେହେରା ଓ ତାଙ୍କ ବାନ୍ଧବୀ । ହେଲେ ସେହିଦିନ ରାତିରେ ପଇଦାଭୂଇଁ ବଡ଼ଯୋରନାଳ ନିକଟ ବୁଲାଣିରେ ସେମାନଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୁଏ । ଆଉ ସେଥିରେ ଅମୂଲ୍ୟଙ୍କର ମୃତ୍ୟୁ ହୁଏ । ପୁଅର ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ପୁଲିସ୍‌ ତଦନ୍ତ କରୁଥିଲେ ସୁଦ୍ଧା ଏହା..ଦୁର୍ଘଟଣା ନା ହତ୍ୟା ? ବୋଲି ପ୍ରଶ୍ନ ଉଠାଇଛନ୍ତି । ଘଟଣାର ପାରିପାର୍ଶ୍ୱିକ ସ୍ଥିତିରୁ ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ଅମୂଲ୍ୟଙ୍କ ପରିବାର ।

ଘଟଣାସ୍ଥଳର ପ୍ରତ୍ୟେକ ପ୍ରମାଣ ଏକ ଅଜଣା ସତ୍ୟକୁ ଇଙ୍ଗିତ କରୁଛି । ଏହି ଦୁର୍ଘଟଣା ଆକସ୍ମିକ ନା ଷଡ଼ଯନ୍ତ୍ର, ସେହି ଦିଗରେ ତଦନ୍ତ କରୁଛି ପୁଲିସ୍‌ । ଦୁର୍ଘଟଣାରେ ପ୍ରେମିକା ସାମାନ୍ୟ ଆହତ ହେବା ସମସ୍ତଙ୍କୁ ଚକିତ କରିଛି । ଅମୂଲ୍ୟଙ୍କ ବାଇକ୍‌ ଧାନ ବିଲରୁ ଘୋଡ଼ା ହେବା ଅବସ୍ଥାରେ ମିଳିବା ହତ୍ୟା ସନ୍ଦେହକୁ ଖୋରାକ ଯୋଗାଉଛି । ସବୁ ପରେ ନାବାଳିକାଙ୍କ ନିରବତା ଏବଂ ଅମୂଲ୍ୟଙ୍କ ମା’ଙ୍କୁ ଘନଘନ ଫୋନ୍‌ ଘଟଣାକୁ ରହସ୍ୟମୟ କରୁଛି ।

ସେପଟେ ଘରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ବାପା ମା’ । ସ୍ଥାନୀୟ ପୁଲିସ୍‌ ନଶୁଣିବାରୁ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୁଅକୁ ହରାଇଥିବା ଏହି ଅସହାୟ ମା’ ବାପାଙ୍କୁ ନ୍ୟାୟ ମିଳିବ ତ ? ନା ଅନେକ ସନ୍ଦେହର ବୁଢ଼ିଆଣୀ ଜାଲ୍‌ ଭିତରେ ଲୁଚିଯିବ ?