କନକ ବ୍ୟୁରୋ : ହାଡ଼କୋର ମାଓବାଦୀଙ୍କୁ ଧରିବା ପାଇଁ ୪କୋଟି ୩୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା । ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ସିଗାଡି, ତିଲପଙ୍ଗା, ଉଡାମୁଣ୍ଡା, ମାତାଗାଡୁ, ଖଣ୍ଡିଖନପା, ଲୁହାରପଡ଼ା, ନାଳିକୁମ୍ପା, ପଲମ ଆଦି ୯ରୁ ଉର୍ଦ୍ଧ୍ୱ ସ୍ଥାନରେ ଲାଗିଛି ନୋଟିସ । ଏହି ସମସ୍ତ ସ୍ଥାନ ବୌଦ୍ଧ, କଣ୍ଟାମାଳ, ବାଉଁଶୁଣି, ମନମୁଣ୍ଡା ଥାନା ଅଞ୍ଚଳରେ ରହିଛି । କେକେବିଏନ ସଂଗଠନର ୧୦ ଜଣ ମାଓବାଦୀଙ୍କୁ ଧରିବା ପାଇଁ ମୋଟ ୪ କୋଟି ୩୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।

Advertisment

ସୂଚନାମୁତାବକ ବୌଦ୍ଧ ଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ପାଉଥିବାରୁ ଏହାକୁ ମୂଳପୋଛ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଭିନ୍ନ ମାଓ ପ୍ରବଣ ସ୍ଥାନରେ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ମାଓବାଦୀଙ୍କୁ ଧରାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯିବ ବୋଲି ଉଲ୍ଲେଖ ରହିଛି । ଅନ୍ୟପଟେ ମାଓବାଦୀଙ୍କୁ ଏହି ପୋଷ୍ଟର ଜରିଆରେ ଆହ୍ୱାନ ଦିଆଯାଇଛି । ସେମାନେ ଯଦି ଆତ୍ମସମର୍ପଣ କରନ୍ତି ତାଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଜିଲ୍ଲା ପୋଲିସ ପକ୍ଷରୁ ମାଓବାଦୀ ଆତ୍ମସମର୍ପଣ ପାଇଁ ଏଭଳି ପ୍ରୟାସ କରାଯାଇଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି ।

ଲୋପ ପାଉଛି ମାଓଗଡ଼ । ଅସ୍ତ୍ରତ୍ୟାଗ କରି ଶାନ୍ତି ପଥେ ଆଗେଇ ଆସିଲେ ମାଓବାଦୀ । ମାଓ ଇତିହାସର ପ୍ରଥମ କରି ପ୍ରାୟ ୨୦୮ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ସାମିଲ ହୋଇଛନ୍ତି । ଛତିଶଗଡ଼ ଦଣ୍ଡକାରଣ୍ୟ ସ୍ପୋଶାଲ ଯୋନାଲ କମିଟିରୁ ପ୍ରାୟ ୧୪୦ ରୁ ଉର୍ଦ୍ଧ୍ୱ ଏବଂ ଉତ୍ତର ବସ୍ତର ଡିଭିଜନର ୫୦ରୁ ଉର୍ଦ୍ଧ୍ୱ ମାଓବାଦୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିଛନ୍ତି । ଛତିଶଗଡ଼ର ଜଗଦଲପୁର ଠାରେ ଏକ ବିରାଟ ସାଧାରଣ ସଭାରେ ମାଓବାଦୀ ମାନେ ଆତ୍ମମର୍ପଣ କରିଛନ୍ତି । ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟି ମୁଖ୍ୟ ରୁପେଶଙ୍କ ସମେତ ୨୦୮ ଜଣ ମାଓବାଦୀ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧୦ ଜଣ ମହିଳା, ୯୮ ଜଣ ପୁରୁଷ ଅଛନ୍ତି । ସିସିଏମ କ୍ୟାଡରର ଜଣେ, ଡିକେଏସଜେଡସି କ୍ୟାଡରର ୪ ଜଣ, ଜଣେ ରିଜିଓନାଲ କମିଟି ମେମ୍ବର, ଡିଭିସିଏମ କ୍ୟାଡରର ୨୧ ଜଣ, ଏସିଏମ କ୍ୟାଡରର ୬୧ ଜଣ, ୯୮ ଜଣ ପାର୍ଟି ମେମ୍ବର କ୍ୟାଡରର ବୋଲି ଜଣାପଡ଼ିଛି । ସେହିପରି ୨୨ ଜଣ ପିଏଲଜିଏ ମେମ୍ବର ଏଥିରେ ଆତ୍ମସମର୍ପଣ କରିଛନ୍ତି ।