କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ । ବିଧାନସଭାରେ ବିଜେପିକୁ ମିଳିଥିଲା ୧ କୋଟି ୬୪ ହଜାର ୮୨୭ ଖଣ୍ଡ ଭୋଟ । ବିଜେଡିକୁ ମିଳିଥିଲା ୧ କୋଟି ୧ ଲକ୍ଷ ୨ହଜାର ୪୪୫ ଭୋଟ । ୨୪ ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଥିଲେ ବି ବିଜେପିଠାରୁ ବିଜେଡି ଅଧିକ ପ୍ରତିଶତ ଭୋଟ ପାଇଥିଲା । ନିର୍ବାଚନର ୪ ମାସ ପରେ ବିଜେଡି-ବିଜେପି ଭୋଟରଙ୍କୁ ସଦସ୍ୟ କରିବା ପାଇଁ ଅଂଟା ଭିଡିଛନ୍ତି ଓ ଦୁଇଦଳର ଟାର୍ଗେଟ ହେଉଛି ୧ କୋଟି ।
ସେପ୍ଟେମ୍ୱର ୩ ରୁ ବିଜେପି ସାରା ଦେଶରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଅକ୍ଟୋବର ମାସ ଯାଏଁ ଏହି ଅଭିଯାନ ଜାରି ରହିବ। ଏପରିକି ବିଧାୟକ, ସାଂସଦ ନେତାଙ୍କୁ ଟାର୍ଗେଟ ଦେଇଛନ୍ତି ବିଜେପି ସଭାପତି ଜେ.ପି.ନଡ୍ଡା । ଅନଲାଇନ କି ଅପଲାଇନ ହେଉ , ଯେଣତେଣ ଭାବେ ଏକକୋଟି ପଂହଚିବା ପାଇଁ ।
ଅକ୍ଟୋବର ୯ ତାରିଖରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଡିସେମ୍ବର ୯ ଯାଏଁ ଏହା ଚାଲିବ । ଏଥିରେ ଯୁବ, ଛାତ୍ର ସହ ପୁରୁଣା ଟାର୍ଗେଟକୁ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛି ଦଳ ।
ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ତୃଣମୂଳ ସ୍ତରରେ ସଙ୍ଗଠନକୁ ବ୍ୟାପକ କରିବା ଉଭୟ ଦଳ ପାଇଁ ଚ୍ୟାଲେଞ୍ଜ ହୋଇଛି । ୨୪ ବର୍ଷ ପରେ କ୍ଷମତାରୁ ହଟିବା ପରେ ଭୋଟରଙ୍କୁ ନିଜ ପାଖରେ ରଖିବା ବିଜେଡି ପାଇଁ ବଡ ଆହ୍ୱାନ ହୋଇଛି । ସେପଟେ ମୋଦି ହାୱାରେ ନିର୍ବାଚନ ଜିତିଥିବା ବିଜେପି କୋଟିଏ ଭୋଟରଙ୍କୁ କିଭଳି ସଦସ୍ୟ କରିବ ତାହା ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି । କାରଣ -୨୦୧୯-୨୦୨୦ରେ ସଦସ୍ୟ ସଂଗ୍ରହ ବେଳେ ୪୨ ଲକ୍ଷ ଯୋଡି ହୋଇଥିଲେ ।