କନକ ବ୍ୟୁରୋ: କେଉଁଠି ଶେଷ କୋରାପୁଟ ଜିଲ୍ଲା, ଆଉ କେଉଁଠି ମାଲକାନଗିରି ଜିଲ୍ଲା ଆରମ୍ଭ । ତାହାକୁ ନେଇ ଆଜି ବି ଲାଗି ରହିଛି ଦ୍ୱନ୍ଦ୍ୱ । କୋରାପୁଟ-ମାଲକାନଗିରି ସୀମାରେ ଥିବା ଗାଁ ଆଜି ବି ଖୋଜୁଛି ପରିଚୟ । ରାଜସ୍ୱ ଗାଁ ତ’ ଦୂରର କଥା ପଡ଼ା ଗାଁ ମାନ୍ୟତା ବି ପାଇନି ।
ପରିଚୟ ଖୋଜୁଛି ୨୫ ଖଣ୍ଡ ଗାଁ
ବନାଞ୍ଚଳ ମାଲକାନଗିରି, ରାଜସ୍ୱ ନକ୍ସାରେ କୋରାପୁଟ
୧୯୯୨ରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇଥିଲା ମାଲକାନଗିରି । ହେଲେ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ଓ ମାଲକାନଗିରି ଗୋବିନ୍ଦପାଲି ସୀମାର ୨୫ ଖଣ୍ଡ ଗାଁକୁ ମିଳିନି ପଡ଼ା ଗାଁର ମାନ୍ୟତା । ମାଲକାନଗିରି ବନ ବିଭାଗର ନକ୍ସାରେ ଥିବା ଗାଁଗୁଡ଼ିକ କୋରାପୁଟ ରାଜସ୍ୱ ନକ୍ସାରେ ରହିଛି ।
ମାଲକାନଗିରିରୁ ମିଳିଛି ଜଙ୍ଗଲ ଜମି ପଟ୍ଟା
ଏଯାଏଁ ମିଳୁନି ସରକାରୀ ପକ୍କାଘର
ଡକ୍ରିଯୋଡ଼ି ଗାଁ ଲୋକଙ୍କ ଏହି ଆଧାର କାର୍ଡ, ରାସନ କାର୍ଡ ଓ ଜଙ୍ଗଲ ଜମି ପଟ୍ଟା ପ୍ରଶାସନର ପୋଲ୍ ଖୋଲୁଛି । ମାଥିଲି ଓ ଖଇରପୁଟ ବ୍ଲକ ଗୋବିନ୍ଦପାଲି, କିଆଙ୍ଗ ଓ ମାଡ଼କାପଦର ପଞ୍ଚାୟତର ଭୋଟର ତାଲିକାରେ ଏମାନଙ୍କ ନାଁ ଅଛି । ମାଲକାନଗିରିରୁ ମିଳୁଛି ପିଡିଏସ୍ ଚାଉଳ ଓ ଭତ୍ତା। ହେଲେ କୋରାପୁଟ ଜିଲ୍ଲାର ରାଜସ୍ୱ ନକ୍ସାରେ ଏହି ସବୁ ଅଞ୍ଚଳ ଦର୍ଶାଉଥିବାରୁ ଘର ଓ ଜମିଜମା ପଟ୍ଟା, ଜାତିଗତ କି ଆୟ ପ୍ରମାଣ ପତ୍ର ମିଳୁନି ।
ତିନି ଦଶକର ସଂଘର୍ଷ
ତଥାପି ବାହାରୁନି ସମାଧାନର ବାଟ
ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରି ନିରାଶ ଗ୍ରାମବାସୀ । ଉଭୟ ସୀମାର ତହସିଲଦାରଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି କହିଛନ୍ତି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ।