କନକ ବ୍ୟୁରୋ : କାଶ୍ମୀରକୁ ପୁଣି ପେରିଲା ଧାରା ୩୭୦ ରାଜନୀତି । ଏକ ପୁସ୍ତକକୁ ନେଇ କାଶ୍ମୀର ରାଜନୀତିରେ ପୁଣି ଝଡ଼ ଉଠିଛି । ପୁସ୍ତକରେ ରହିଛି ଧାରା ୩୭୦ ଉଚ୍ଛେଦର କାହାଣୀ । ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଭିତିରିଆ ସମର୍ଥନ କରିଥିଲେ କିନ୍ତୁ ଏହାକୁ ସର୍ବସାଧାରଣରେ ଲୋକ ଦେଖାଣିଆ ବିରୋଧ କରିଥିଲେ । ଭାରତର ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ମୁଖ୍ୟ ଏଏସ୍ ଦୁଲତ ତାଙ୍କ ନୂଆ ପୁସ୍ତକ ‘ଦ ଚିଫ୍ ମିନିଷ୍ଟର ଆଣ୍ଡ୍ ଦ ସ୍ପାଇ’ ରେ ଏପରି ଦାବି କରିଛନ୍ତି । ଫାରୁକ ଅବଦୁଲ୍ଲା ସାର୍ବଜନୀନ ଭାଷଣରେ ଧାରା ୩୭୦ ଉଚ୍ଛେଦ ପାଇଁ ଏନ୍ଡିଏ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରିଥିଲେ, କିନ୍ତୁ ସେ ବ୍ୟକ୍ତିଗତ ଭାବରେ ଏହାକୁ ସମର୍ଥନ କରିଥିଲେ ବୋଲି ଦୁଲତଙ୍କ ପୁସ୍ତକରେ ଦାବି କରାଯାଇଛି । ‘ଆମେ ପ୍ରସ୍ତାବ ପାରିତ କରିବାରେ ସାହାଯ୍ୟ କରିଥାନ୍ତୁ । ଆମକୁ କାହିଁକି ବିଶ୍ୱାସକୁ ନିଆଗଲା ନାହିଁ’ ବୋଲି ଅବଦୁଲ୍ଲା କୁଆଡ଼େ ପୂର୍ବତନ ‘ର’ ମୁଖ୍ୟଙ୍କୁ ପଚାରିଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ସଂସଦରେ ବିଲ୍ ଆଗତ ହେବା ପୂର୍ବରୁ ଫାରୁକ୍ ଅବଦୁଲ୍ଲା, ତାଙ୍କ ପୁଅ ଓମାର ଅବଦୁଲ୍ଲା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦିଲ୍ଲୀରେ ଏକ ବ୍ୟକ୍ତିଗତ ବୈଠକ ବିଷୟରେ ମଧ୍ୟ ଦୁଲତ ଉଲ୍ଲେଖ କରିଛନ୍ତି । ତେବେ ନ୍ୟାସନାଲ କନଫରେନ୍ସ ପକ୍ଷରୁ ପୂର୍ବତନ ‘ର’ ମୁଖ୍ୟଙ୍କ ଦାବିକୁ ଖଣ୍ଡନ କରାଯାଇଛି ।
କାଶ୍ମୀରରେ ପୁସ୍ତକ ଝଡ଼
ପୂର୍ବତନ ର’ ମୁଖ୍ୟଙ୍କ ପୁସ୍ତକକୁ ନେଇ କାଶ୍ମୀରରେ ଝଡ଼
ପୁସ୍ତକରେ ରହିଛି ଧାରା ୩୭୦କୁ ନେଇ ରୋଚକ ତଥ୍ୟ
‘ର’ର ପୂର୍ବତନ ମୁଖ୍ୟ ଏଏସ୍ ଦୁଲତଙ୍କ ପୁସ୍ତକ ‘ଦ ଚିଫ୍ ମିନିଷ୍ଟର ଆଣ୍ଡ୍ ଦ ସ୍ପାଇ’
‘ଦ ଚିଫ୍ ମିନିଷ୍ଟର ଆଣ୍ଡ୍ ଦ ସ୍ପାଇ’ରେ ରହିଛି ଧାରା ୩୭୦ ଉଚ୍ଛେଦ ସତ
କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦକୁ ସମର୍ଥନ କରିଥିଲେ ଏନସି ମୁଖ୍ୟ
କିନ୍ତୁ ଏହାକୁ ସର୍ବସାଧାରଣରେ ଲୋକ ଦେଖାଣିଆ ବିରୋଧ କରିଥିଲେ
କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଭିତିରିଆ ସମର୍ଥନ କରିଥିଲେ ଏନ୍ସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା
ସେ ବ୍ୟକ୍ତିଗତ ଭାବରେ ଏହାକୁ ସମର୍ଥନ କରିଥିଲେ ବୋଲି ପୁସ୍ତକରେ କୁହାଯାଇଛି
ନ୍ୟାସନାଲ କନଫରେନ୍ସ ପକ୍ଷରୁ ପୂର୍ବତନ ‘ର’ ମୁଖ୍ୟଙ୍କ ଦାବିକୁ କରାଯାଇଛି ଖଣ୍ଡନ
ଫାରୁକଙ୍କ ଉପରେ ବର୍ଷିଲା ବିରୋଧୀ ମେହବୁବାଙ୍କ ପିଡିପି ଦଳ