କନକ ବ୍ୟୁରୋ: ବିନା ଜିମ୍ରେ ୨୬ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ଜଣାଶୁଣା ବଲିଉଡ ପ୍ରଯୋଜକ ବୋନି କପୁର । ବୋନିଙ୍କ ଏଭଳି ଅବିଶ୍ୱସନୀୟ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବ୍ଲକବଷ୍ଟର ଫିଲ୍ମ ତିଆରି କରି ପ୍ରଯୋଜକ ଏବଂ ଅଭିନେତା ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋନି କପୁର । ପରିଣତ ବୟସରେ ଦିବଙ୍ଗତ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ସ୍ୱାମୀ ଚଳଚ୍ଚିତ୍ର ନିର୍ମାତା ବୋନି କପୁର କେବଳ ତାଙ୍କ କାମ ପାଇଁ ନୁହେଁ ବରଂ ତାଙ୍କର ନୂତନ ଲୁକ୍ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କାଜୁଆଲ୍ ଏବଂ ସେମି-ଫର୍ମାଲ୍ ପୋଷାକରେ ସ୍ଲିମ୍ ଦେଖାଯାଉଥିବା ବୋନି କପୁରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ପ୍ରଶଂସକ ତାଙ୍କ ଆକର୍ଷଣୀୟ ଲୁକ୍କୁ ପ୍ରଶଂସା କରୁଛନ୍ତି । କେତେକ ୟୁଜର୍ସ ଏହି ବଡ଼ ପରିବର୍ତ୍ତନ ପଛରେ କ'ଣ କାରଣ ଜାଣିବାକୁ ଚାହିଛନ୍ତି ।
ରିପୋର୍ଟ ଅନୁସାରେ, ବୋନିଙ୍କ ଓଜନ ହ୍ରାସର ରହସ୍ୟ ତାଙ୍କର ଶୃଙ୍ଖଳିତ ଜୀବନଶୈଳୀରେ ରହିଛି । ସେ ରାତ୍ରୀଭୋଜନ ଛାଡ଼ି କେବଳ ସୁପ୍ ପିଅନ୍ତି । ତାଙ୍କର ସକାଳର ଜଳଖିଆ କେବଳ ଫଳରସ ଓ ରୁଟି ଯାଏଁ ସୀମିତ ରହିଥିଲା । ସେ କୌଣସି ବ୍ୟାୟାମ ରୁଟିନ୍ ଉପରେ ନିର୍ଭରଶୀଳ ନୁହଁନ୍ତି, ବରଂ କେବଳ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଏବଂ ଖାଦ୍ୟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଇ ଏଭଳି ଫିଟ୍ନେସ୍ ହାସଲ କରିଛନ୍ତି ।
ନିଜ ଜୀବନଶୈଳୀ ପରିବର୍ତ୍ତନ ପଛରେ ଥିବା ପ୍ରେରଣା ବିଷୟରେ କହିବାକୁ ଯାଇ ବୋନି କହିଛନ୍ତି, ‘‘ମୁଁ ମୋ ସ୍ୱର୍ଗତ ପତ୍ନୀଙ୍କ ପରାମର୍ଶ ମନେ ରଖିଥିଲି । ସେ ସବୁବେଳେ ଚାହୁଥିଲେ ଯେ ମୁଁ ଓଜନ ହ୍ରାସ କରିବି, ତେଣୁ ମୁଁ ଡାଏଟିଂ ଆରମ୍ଭ କଲି ଏବଂ ପ୍ରାୟ ୧୪ କିଲୋଗ୍ରାମ ହ୍ରାସ କଲି । ମୋ ପାଇଁ ବ୍ୟାୟାମ କରିବା କଷ୍ଟକର ଥିଲା, କିନ୍ତୁ ତଥାପି ମୁଁ ଓଜନ ହ୍ରାସ କରିପାରିଲି ।’’