କନକ ବ୍ୟୁରୋ : ମୃତ୍ୟୁ ଶଯ୍ୟାରେ ମେଡିକାଲ ସେବା । ରାଜ୍ୟର ଏକ ମାତ୍ର ମାଗଣା ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବା ଅସ୍ତି ମଜ୍ଜା ପ୍ରତ୍ୟାରୋପଣ ସେବା ଏବେ ଅଚଳ ହୋଇ ପଡିଛି । ବିଶେଷଜ୍ଞ ଡାକ୍ତରଙ୍କ ଅଭାବ କାରଣରୁ କଟକ ଏସ୍ସିବି ମେଡିକାଲରେ ବୋନ୍ ମ୍ୟାରୋ ସେବା ଏବେ ଅଚଳ । ଗତ ଫେବ୍ରୁଆରି ମାସରେ ଏସସିବି ମେଡିକାଲରେ ସଫଳତାର ସହ ବୋନ୍ ମାରୋ ପ୍ରତ୍ୟାରୋପଣ ହୋଇଥିଲା । ହେଲେ ସେବେଠାରୁ ଏହି ବିଭାଗରେ ଆଉ ଗୋଟିଏ ବି ପ୍ରତ୍ୟାରୋପଣ ହୋଇ ନାହିଁ । ସୂଚନା ଅନୁସାରେ, ରାଜ୍ୟର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଏଭଳି ଏକ ଜଟିଳ ଚିକିତ୍ସା ପାଇଁ ବିଶେଷଜ୍ଞ ନାହାନ୍ତି । ଯାହା ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ଏସସିବିରେ କାର୍ଯ୍ୟରତ ଏକ ମାତ୍ର ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବିଶେଷଜ୍ଞ ଅବସରପ୍ରାପ୍ତ ପ୍ରଫେସର ଆରକେ ଜେନାଙ୍କ ଚୁକ୍ତି ନବୀକରଣ ହୋଇ ନଥିବାରୁ, ଏହି ଜଟିଳ ଚିକିତ୍ସା ସୁବିଧା ଏବେ ମୃତ୍ୟୁ ଶଯ୍ୟାରେ ।
ପ୍ରଫେସର ଆରେକେ ଜେନାଙ୍କ ଅବସର ପରେ ଗତବର୍ଷ ତାଙ୍କ କାର୍ଯ୍ୟକାଳ ୪ ବର୍ଷ ପାଇଁ ବଢ଼ାଯାଇଥିଲା । ହେଲେ ଚଳିତ ବର୍ଷ ତାଙ୍କ ଚୁକ୍ତି ନବୀକରଣ କରାଯାଇ ନାହିଁ । ଯାହା ଫଳରେ ଏସସିବିରେ ଏବେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବା ବିଏମ୍ଟି ସେବା ଠପ୍ ହୋଇ ଯାଇଛି । ରାଜ୍ୟ ସରକାର ପ୍ରଫେସରଙ୍କ ଚୁକ୍ତି ନବୀକରଣ କରିନାହାନ୍ତି କି କୌଣସି ନୂଆ ବିଶେଷଜ୍ଞଙ୍କୁ ନିଯୁକ୍ତି ମିଳିନି । ବଡ଼ କଥା ହେଉଛି ଏସ୍ସିବିରେ ଆହୁରି ୩୫ ରୋଗୀ ଅସ୍ତି ମଜ୍ଜା ପ୍ରତ୍ୟାରୋପଣ ପାଇଁ ଲାଇନ୍ରେ ଥିବାବେଳେ, ଅନ୍ୟ ୧୬୦ ରୋଗୀ ଚିକିତ୍ସା ପାଇଁ ସଂଘର୍ଷ କରୁଛନ୍ତି। ସେହିପରି ପୂର୍ବରୁ ପ୍ରତ୍ୟାରୋପଣ କରାଯାଇଥିବା ରୋଗୀଙ୍କ ପରବର୍ତ୍ତୀ ଚିକିତ୍ସା ମଧ୍ୟ ଏବେ ଠପ୍ ହୋଇ ଯାଇଛି। ଫଳରେ ଏସସିବି ଭଳି ମେଡିକାଲରେ ଏଭଳି ଜଟିଳ ଚିକିତ୍ସା କରାଇବା ଆଶା ମଳିନ ହୋଇଯାଇଛି।
ମୃତ୍ୟୁ ଶଯ୍ୟାରେ ମେଡିକାଲ ସେବା
- ଏସ୍ସିବି ମେଡିକାଲ୍ରେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସେବା ଠପ୍
- ରାଜ୍ୟରେ ଏକ ମାତ୍ର ମାଗଣା ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ ସେବା ଅଚଳ
- ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ଏସ୍ସିବିରେ ଜଟିଳ ଚିକିତ୍ସା ସେବା ବନ୍ଦ
- ଗତ ଫେବ୍ରୁଆରୀ ମାସରେ ଶେଷଥର ସଫଳ ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ ହୋଇଥିଲା
- ବିଶେଷଜ୍ଞ ଡାକ୍ତରଙ୍କ ଚୁକ୍ତି ନବୀକରଣ ହୋଇ ନଥିବାରୁ ଏହି ବିଏମ୍ଟି ଚିକିତ୍ସା ବନ୍ଦ
- ଚିକିତ୍ସା ପାଇଁ ଲାଇନ୍ରେ ୩୫ ରୋଗୀ ଅଛନ୍ତି
- ୧୬୦ ଅନ୍ୟ ରୋଗୀ ଅସ୍ତି ମଜ୍ଜା ପ୍ରତ୍ୟାରୋପଣ ପାଇଁ ସଂଘର୍ଷ କରୁଛନ୍ତି
- ଟ୍ରାନ୍ସପ୍ଲାଣ୍ଟ ପରେ ପରବର୍ତ୍ତୀ ଚିକିତ୍ସା ସୁବିଧା ମଧ୍ୟ ଏବେ ମିଳୁନି
- ଏପ୍ରିଲ ୨୦୧୪ରେ ଏସସିବିରେ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ସେବା
- ବର୍ତ୍ତମାନ ସୁଦ୍ଧା ୧୮୦ଟି ସଫଳ ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ କରାଯାଇଛି