କନକ ବ୍ୟୁରୋ : ରକ୍ତ କର୍କଟରେ ପିଡିତ ବଣ୍ଡା ଯୁବକ। ଚିକିତ୍ସା ପାଇଁ ଗୋଟିଏ ଡାକ୍ତରଖାନା ରୁ ଆଉ ଏକ ଗୋଟିଏ ଡାକ୍ତରଖାନା ଘୁରି ବୁଲୁଛନ୍ତି ପରିବାର ଲୋକେ। କାରଣ ଅସ୍ଥିମଜ୍ଜା ପ୍ରତିରୋପଣ କଲେ ବଞ୍ଚିବ ଜୀବନ। ଚିକିତ୍ସାରେ ବାଧକ ସାଜିଛି ଅର୍ଥ। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତୀ କରାଇ ସରକାରୀ ସହାୟତା ଲୋଡିଛନ୍ତି ସମାଜସେବୀ।

Advertisment

ଶ୍ରେଣୀଗୃହ ନୁହେଁ, ଡାକ୍ତରଖାନା ଶଯ୍ୟାରେ ବିତୁଛି ସମୟ। ଖେଳିକୁଦି, ପାଠପଢ଼ା କରିବା ବୟସରେ ରକ୍ତ କ୍ୟାନ୍ସର୍‌ ସହ ସଂଗ୍ରାମ ଲଢୁଛି ବଣ୍ଡା ଛାତ୍ର। ଏ ହେଉଛନ୍ତି ମାଲକାନଗିରି ବଣ୍ଡାଘାଟି ଅଣ୍ଡ୍ରାହାଲ ଗାଁର ୧୭ ବର୍ଷୀୟ ସନିଆ ଚାଲାଣ। ଅଷ୍ଟମ ଶ୍ରେଣୀର ଛାତ୍ର। ସବୁ କିଛି ଠିକ୍‌ ଚାଲିଥିଲା, ବାରମ୍ବାର ଜ୍ବର ହେବାରୁ ଘରକୁ ଚାଲିଆସିଲେ। ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗଲେ। ପରେ କୋରାପୁଟ ଡାକ୍ତରଖାନା ଆସିଲେ, ସେଠାରେ କର୍କଟ ଲକ୍ଷଣ ଦେଖି ବିଶାଖାପାଟଣା ସ୍ଥାନାନ୍ତର କରିଦେଲେ ମେଡିକାଲ୍‌ କର୍ତ୍ତୃପକ୍ଷ। ଆଉ ସେଠାରେ ଜଣାପଡ଼ିଲା ସନିଆ ରକ୍ତ କର୍କଟରେ ପୀଡ଼ିତ। କିଛି ଦିନ ଆୟୁଷ୍ମାନ କାର୍ଡ ମାଧ୍ୟମରେ କେମୋଥେରାପି ଚାଲିଲା ପରେ ଆର୍ଥିକ ଅକ୍ଷମତା ଯୋଗୁ ପୁଅକୁ ଧରି ଘାଟିକୁ ଚାଲିଆସିଲେ ବାପା ଓ ମା’। ଏବେ କିଛି ସମାଜସେବୀଙ୍କ ସହାୟତାରେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

କେମୋଥେରାପି ସହ ଅସ୍ତିମଜ୍ଜା ପ୍ରତିରୋପଣ ହିଁ ଏହାର ଏକମାତ୍ର ଚିକିତ୍ସା। ଯାହା ଅତ୍ୟନ୍ତ ବ୍ୟୟବହୁଳ। ପ୍ରଶାସନ ସନିଆଙ୍କୁ କଟକ ଆଚାର୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ପଠାଯାଇଛି। ଏଥିସହ ରେଡକ୍ରସରୁ ୨୦ ହଜାର ଟଙ୍କା ସରକାରୀ ଅନୁଦାନ ସହ ଆଇଟିଡିଏ ତରଫରୁ ଜଣେ ଆଟେଣ୍ଡାଣ୍ଟ ପ୍ରଦାନ କରାଯାଇଛି। ସେତିକି ଯଥେଷ୍ଟ ନୁହେଁ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ ଲାଗି ଦାବି ହୋଇଛି। କର୍କଟ ରୋଗ କ’ଣ ଓ ଏହା କେତେ ମାରାତ୍ମକ ତାହା ଜାଣନ୍ତିନି ଆଦିମ ବଣ୍ଡା ଜନଜାତିର ଲୋକେ। କେହି ବ୍ୟକ୍ତି ଏହି କିଛି ଆର୍ଥିକ ସହଯୋଗ ଯୋଗାଇଦେଲେ ପୁଅ ଭଲ ହୋଇପାରିବ ବୋଲି ଆଶା ରଖିଛନ୍ତି ବାପା, ମା’।

ଲଛିମ ମୁଦୁଲି
ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ
ଆକାଉଣ୍ଟ ନମ୍ବର- ୨୦୨୬୯୨୮୧୬୩୩

IFSC Code- SBIN0017971

ଗୁଗୁଲ୍‌ ପେ ନମ୍ବର- ୭୬୫୬୦୬୯୦୧୭