କନକ ବ୍ୟୁରୋ: ମାଲକାନଗିରି ବଣ୍ତାଘାଟିରେ ସୁଭଦ୍ରା ଟେନସନ୍ । ଆବେଦନ କରିଥିବା ଅଧିକାଂଶ ବଣ୍ଡା ମହିଳା ସୁଭଦ୍ରା ଯୋଜନାର ଅର୍ଥ ପାଇନାହାନ୍ତି । ବିଭିନ୍ନ କାରଣରୁ ଆବେଦନପତ୍ର ଖାରଜ ହୋଇଯାଇଛି । ତେବେ ତ୍ରୁଟି ସୁଧାରି ବଣ୍ଡାଘାଟିର ସମସ୍ତ ମହିଳା ଯେପରି ସୁଭଦ୍ରା ଟଙ୍କା ପାଇବେ, ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।
ବଣ୍ଡାଘାଟିରେ ଘରଘର ବୁଲି ସୁଭଦ୍ରା ଯୋଜନାର ଆବେଦନକାରୀଙ୍କ ଆବେବଦନପତ୍ର ଯାଞ୍ଚ କରୁଛନ୍ତି ସରକାରୀ କର୍ମଚାରୀ । କାହିଁକି ମିଳିନି ସୁଭଦ୍ରା ଟଙ୍କା । ଆବେଦନପତ୍ରରେ ତ୍ରୁଟି ସୁଧାରି, ସମସ୍ତ ଆବେଦନକାରୀ ବଣ୍ଡା ମହିଳା ଯେପରି ସୁଭଦ୍ରା ଟଙ୍କା ପାଇବେ, ତାର ବ୍ୟବସ୍ଥା କରାଯାଉଛି । ଆବେଦନ କରିନଥିବା ମହିଳାଙ୍କୁ ଆବେଦନ ପାଇଁ ସରକାରୀ କର୍ମଚାରୀ ପରାମର୍ଶ ଦେଉଛନ୍ତି ।
ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ପାଇଁ ବଣ୍ଡାଘାଟିର ମହିଳା ଖର୍ଚ୍ଚାନ୍ତ ହୋଇ ମୋବାଇଲ୍ ଫୋନ କିଣିଥିଲେ । ଦୂରରେ ଥିବା ଆବେଦନ କେନ୍ଦ୍ରକୁ ଯାଇ ଖର୍ଚ୍ଚାନ୍ତ ହୋଇଥିଲେ । ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ । କିନ୍ତୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ ସରିଥିଲେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିନଥିବା ଅଭିଯୋଗ ହୋଇଛି ।
ବଣ୍ଡାଘାଟିରେ ଦେଢ଼ ହଜାରରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ । କିନ୍ତୁ ତ୍ରୁଟି ଯୋଗୁଁ ଅଧିକାଂଶ ମହିଳା ଟଙ୍କା ପାଇ ନାହାନ୍ତି । ଏବେ ସରକାରୀ ସ୍ତରରେ ତ୍ରୁଟି ସଂଶୋଧନ ହେଉଥିବାରୁ ପୁଣି ଆଶା ସଞ୍ଚାର ହୋଇଛି।